ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: କଟକରେ କରୋନା ଭୟ । ଆଜି କଟକର ଏକ ଘରୋଇ କଲେଜରୁ ୧୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପରେ ହଷ୍ଟେଲରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। କଣ୍ଟାକ୍ଟ ଟ୍ରେସିଂରେ ୨୫ ଜଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି । ଟେଷ୍ଟିଂ ପାଇଁ ହଷ୍ଟେଲରେ ସିଏମ୍ସି ଟିମ୍ ପହଞ୍ଚିଛନ୍ତି । ତେବେ ୧୦ ଦିନ ପାଇଁ କଲେଜ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଲେଜ୍ ହଷ୍ଟେଲ୍ରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ହୋମ୍ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । ଏନେଇ ସିଏମ୍ସି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ଏହି କଲେଜରୁ ଜଣେ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେ ଏବେ ଚିକିତ୍ସାଧୀନ ରହିଥିବା ବେଳେ ତାଙ୍କ କଣ୍ଟାକ୍ଟ ଟ୍ରେସିଂରେ ୨୫ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ତେବେ ପରୀକ୍ଷା ହୋଇଥିବା ନମୁନାରୁ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଅନ୍ୟ ପକ୍ଷରେ ସିଏମ୍ସି କଣ୍ଟ୍ରୋଲ୍ ରୁମ୍ର କର୍ମଚାରୀମାନେ କଲେଜ ହଷ୍ଟେଲକୁ ଯାଇ ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ , ଶିକ୍ଷୟିତ୍ରୀମାନଙ୍କୁ ହୋମ୍ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । ସିଏମସି ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରିବାକୁ ବ୍ୟବସ୍ଥା କରାଯାଉଛି । କଣ୍ଟାକ୍ଟ ଟ୍ରେସିଂ ପରେ ଆହୁରି ଅନେକଙ୍କ ଟେଷ୍ଟିଂ କରାଯିବ ବୋଲି ସିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଯଦି ଆକ୍ରାନ୍ତଙ୍କ ସଂଖ୍ୟା ବଢେ ତେବେ ବାଧ୍ୟ ହୋଇ କଲେଜକୁ କଣ୍ଟେନମେଣ୍ଟ୍ ଘୋଷଣା କରାଯିବ ବୋଲି ସିଏମ୍ସି ତରଫରୁ ସୂଚନା ଦିଆଯାଇଛି । ତେବେ କରୋନା ନେଗେଟିଭ ରିପୋର୍ଟ ଥିବା ପିଲା କେବଳ ହଷ୍ଟେଲ ଛାଡି ପାରିବେ ବୋଲି କଲେଜ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।