ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର : ହୋଲ୍ଡିଂ ଟ୍ୟାକ୍ସର ବର୍ଦ୍ଧିତ ଦର ଅନୁସାରେ ବିଏମ୍ସି ପକ୍ଷରୁ ଆଦାୟ କରାଯାଉଥିବା ହୋଲ୍ଡିଂ ଟ୍ୟାକ୍ସକୁ ସ୍ଥଗିତ ରଖାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଦର ସ୍ଥଗିତ ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି ଯେ ଏହି ମାମଲା ଏବେ ହାଇକୋର୍ଟରେ ବିଚାରଧୀନ ଅଛି । ହାଇକୋର୍ଟ ରାୟ ନଦେବା ଯାଏଁ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରହିବ । ପୁରୁଣା ଦରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହେବ । ବେଞ୍ଚ୍ ମାର୍କ ବଢିବା ଯୋଗୁଁ ବିଏମସି ଟିକସ ବଢାଇବାକୁ ନିଷ୍ପତ୍ତି ନେଇଥିଲା । ତେବେ ଲୋକମାନଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ବେଞ୍ଚ୍ ମାର୍କ ସ୍ଥଗିତ ରଖାଯାଇଛି ।
ତେବେ ଏହି ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ବିରୋଧ କରି ଜିଲ୍ଲା କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ଵରେ ଦଳର ବହୁ ନେତା ଓ କର୍ମୀ ଭୁବନେଶ୍ଵରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ବିଏମସି ଅଫିସ୍ ଆଗରେ କଂଗ୍ରେସ କର୍ମୀମାନେ ଧାରଣା ଦେଇଥିଲେ । ବର୍ଦ୍ଧିତ ଟିକସକୁ ପ୍ରତ୍ୟାହାର କରିବା ପାଇଁ କଂଗ୍ରେସ କର୍ମୀମାନେ ଦାବି କରିଥିଲେ ।