ସନ୍ଷ୍ଟାର ଟିଭି ବ୍ୟୁରୋ
ବୁର୍ଲା : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇଣ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର୍)ରେ କିଛି ଦିନ ତଳେ ରାଗିଂ ଘଟଣା ସମ୍ନାକୁ ଆସିଥିଲା । ଭିମସାର୍ର ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ଚତୁର୍ଥ ବର୍ଷର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ତେବେ ଏନେଇ ଆଣ୍ଟି ରାଗିଂ ସେଲ ତଦନ୍ତ ଆରମ୍ଭ କରିବା ପରେ ଘଟଣା ପଛର ସତ ସାମ୍ନାକୁ ଆସିଛି ।
ତେବେ ଏହି ଛାତ୍ରମାନଙ୍କ ତାଣ୍ଡବ ଖୁବ୍ ଭୟଙ୍କର ଥିଲା । ସାମାନ୍ୟ ଆଦେଶ ନମାନିବାରୁ ଘଟାଇଥିଲେ ଏହି ଭୟଙ୍କର କାଣ୍ଡ । । ଅଧଘଣ୍ଟା କି ଘଣ୍ଟାଏ ପାଇଁ ନୁହେଁ, ରାତି ୧୨ଟାରୁ ଭୋର ୩ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ରାଙ୍ଗି ।
ସୂଚନା ଅନୁସାରେ, ଭିମସାର୍ ୟୁଜି ଛାତ୍ର ସଂଘ ପକ୍ଷରୁ ବାର୍ଷିକ ଉତ୍ସବ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଚତୁର୍ଥ ବର୍ଷ ଛାତ୍ରଙ୍କ ପକ୍ଷରୁ ସଂଧ୍ୟାରେ ଏକ ବୈଠକ ଡକାଯାଇଥିଲା । ତେବେ ଏହି ବୈଠକରେ କିଛି କନିଷ୍ଠ ବର୍ଷର ଛାତ୍ର ଅନୁପସ୍ଥିତ ଥିଲେ । ଯେଉଁଥିପାଇଁ ବରିଷ୍ଠ ଛାତ୍ର ମାନଙ୍କ ରାଗ ବଢିଯାଇଥିଲା । ସେଥିପାଇଁ ରାତି ପ୍ରାୟ ୧୨ଟା ବେଳେ ବହୁ ସଂଖ୍ୟାରେ ଚତୁର୍ଥ ବର୍ଷ ଛାତ୍ର କନିଷ୍ଠ ହଷ୍ଟେଲ୍ରେ ପ୍ରବେଶ କରିଥିଲେ । ସେମାନେ ଧଡ଼ଧଡ଼ କରି ବିଭିନ୍ନ କୋଠରିର କବାଟ ବାଡ଼େଇ ଥିଲେ । କିଛି ଛାତ୍ର କବାଟ ଖୋଲି ବାହାରି ଥିଲେ । ଯେଉଁ ଛାତ୍ରମାନେ କବାଟ ଖୋଲି ନଥିଲେ ସେହି କବାଟ ଗୁଡ଼ିକୁ ଭାଙ୍ଗି କୋଠରି ଭିତରେ ପଶିଥିଲେ । ଅମାନ୍ୟ କରିଥିବା ଛାତ୍ରଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ପ୍ରବଳ ମାଡ଼ ମାରିଥିଲେ । ସମସ୍ତଙ୍କୁ ଧାଡ଼ିରେ ଛିଡ଼ା କରାଇ ମୁଣ୍ଡ ତଳକୁ କରିବାକୁ ଆଦେଶ ଦେଇଥିଲେ । ଏହାପରେ ଜଣଜଣ କରି ପଚରାପଚରି କରି ଶାସ୍ତି ଦେଇଥିଲେ ।ବରିଷ୍ଠ ଡାକ୍ତରୀ ଛାତ୍ର ମାନେ ମାଡ଼ ମାରି ଜଣେ କନିଷ୍ଠ ଛାତ୍ରଙ୍କ ମୁହଁ ଫଟାଇ ଦେଇଥିଲେ ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ୩ ଘଣ୍ଟା ଧରି ଏହି ରାଗିଂ ଚାଲିଥିଲା ।
ତେବେ ରାଗିଂର ଖବର ପାଇବା ମାତ୍ରେ ଭିମସାର୍ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଆଣ୍ଟି ରେଗିଂ ସେଲ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଶୁକ୍ରବାର ରାତିରେ ଆଣ୍ଟି ରାଗିଂ ସେଲ୍ର ସଦସ୍ୟ ଜଣେ ବରିଷ୍ଠ ଡାକ୍ତର ଯାଇ ପୀଡ଼ିତ ଛାତ୍ରଙ୍କ ଠାରୁ ଲିଖିତ ବୟାନ ନେଇଛନ୍ତି । ଅପରପକ୍ଷରେ ରାଗିଂ ଘଟଣାକୁ ଚପାଇ ଦେବା ପାଇଁ ବରିଷ୍ଠ ଛାତ୍ରଙ୍କ ପକ୍ଷରୁ କନିଷ୍ଠଙ୍କ ଉପରେ ଚାପ ପକାଯାଉଛି ବୋଲି ସୂଚନା ମିଳିଛି । ଫଳସ୍ବରୂପ ଦ୍ବିତୀୟ ବର୍ଷର ଛାତ୍ର ମାନେ ରାଗିଂ ବିଷୟକୁ ଅସ୍ବୀକାର କରୁଛନ୍ତି । ସେମାନେ ମଧ୍ୟ ନିଜ ଆଡ଼ୁ କର୍ତ୍ତୃପକ୍ଷଙ୍କ ନିକଟରେ ସିଧାସଳଖ କୌଣସି ଅଭିଯୋଗ କରି ନାହାନ୍ତି
ତେବେ ପରୋକ୍ଷ ଭାବରେ ଖବର ପାଇ ଭିମସାର୍ କର୍ତ୍ତୃପକ୍ଷ ନିଜ ଆଡ଼ୁ ତଦନ୍ତ ଆରମ୍ଭ କରିଛନ୍ତି । ଭିମସାର ଅଧ୍ୟକ୍ଷ ଡା. ଜୟଶ୍ରୀ ଦୋରା କହିଛନ୍ତି ଅଭିଯୋଗ ଆସିବା ପରେ ତୁରନ୍ତ ଆଣ୍ଟି ରାଗିଂ ସେଲ୍କୁ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଛି । ରିପୋର୍ଟ ଆସିବା ପରେ ସେଭଳି ଘଟଣା ଘଟିଥିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅଧ୍ୟକ୍ଷ ଡା. ଦୋରା କହିଛନ୍ତି।