ସନ୍ଷ୍ଟାର ଟିଭି ବ୍ୟୁରୋ
ବୁର୍ଲା: ରାଗିଙ୍ଗ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଛାତ୍ରଛାତ୍ରୀମାନଙ୍କୁ କଡା ଚେତାବନୀ ଦିଆଯାଇଥିବା ସତ୍ତ୍ଵେ ଅନେକ କଲେଜରେ ଆଜି ମଧ୍ୟ ରାଗିଙ୍ଗ୍ ହେଉଥିବା ଦେଖିବାକୁ ମିଳିଛି । ତେବେ ଏହି ରାଗିଙ୍ଗ୍ର ଜ୍ଵଳନ୍ତ ଉଦାହରଣ ଦେଖାଯାଇଛି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ । ଭିମ୍ସାରର ଦ୍ୱିତୀୟ ବର୍ଷ ଏମ୍ବିବିଏସ୍ ଛାତ୍ରମାନଙ୍କୁ ଚତୁର୍ଥ ବର୍ଷର କିଛି ଛାତ୍ର ମାଡ ମାରିବା ସହ ଗାଳିଗୁଲଜ କରିଥିବା ଭିମ୍ସାର କର୍ତ୍ତୁପକ୍ଷଙ୍କ ପାଖରେ ଅଭିଯୋଗ ପହଞ୍ଚିଛି । ତେବେ ଏହାର ତଦନ୍ତ କରିବା ପାଇଁ ଆଣ୍ଟି ରାଗିଙ୍ଗ୍ ସେଲକୁ ଜଣାଇଛନ୍ତି ଭିମସାର କର୍ତ୍ତୁପକ୍ଷ । ଆଣ୍ଟି ରାଗିଙ୍ଗ୍ ସେଲର ୧୦ଜଣିଆ କମିଟି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ତେବେ ସୂଚନା ଅନୁସାରେ, ୩ ଦିନ ପୂର୍ବେ ଭିମ୍ସାରର ଦ୍ୱିତୀୟ ବର୍ଷ ଏମ୍ବିବିଏସ୍ ଛାତ୍ରାବାସକୁ ଚତୁର୍ଥ ବର୍ଷର କିଛି ଛାତ୍ର ବିଳମ୍ବିତ ରାତିରେ ପଶିବା ସହ ଗାଳିଗୁଲଜ କରିଥିଲେ । ଏସମ୍ପର୍କରେ ଛାତ୍ରମାନେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଯେଉଁ ଘଟଣାକୁ ନେଇ ଚତୁର୍ଥ ବର୍ଷର ଛାତ୍ରମାନେ ଉତ୍ତ୍ୟକ୍ତ ହୋଇ ବୁଧବାର ରାତି ପ୍ରାୟ ସାଢ଼େ ୧୨ଟାରେ ଛାତ୍ରାବାସ ସଂଖ୍ୟା ୪ ଓ ୬କୁ ପ୍ରବେଶ କରିଥିଲେ । ଏହି ସମୟରେ ଗେଟ୍ରେ ଥିବା ସିକ୍ୟୁରିଟି ଗାର୍ଡଙ୍କଠାରୁ ଲାଠି ମଧ୍ୟ ଛଡ଼ାଇ ନେଇ ସେମାନେ ଭିତରକୁ ଯାଇଥିଲେ । ଛାତ୍ରାବାସ ମଧ୍ୟରେ ଶୋଇଥିବା ୬ ଜଣ ଛାତ୍ରଙ୍କୁ ଅଭିଯୋଗ ସମ୍ପର୍କରେ ପଚରାଉଚରା କରିବା ସହ କାହିଁକି କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ କହିଲେ ସେନେଇ ଗାଳିଗୁଲଜ କରିଥିଲେ ।
ଦ୍ୱିତୀୟ ବର୍ଷର ଛାତ୍ରମାନେ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ଅର୍ଧନଗ୍ନ କରି ନିସ୍ତୁକ ମାଡ଼ ମାରିବା ସହ ଠେଲାପେଲା ମଧ୍ୟ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ଗୁରୁବାର ସକାଳୁ ଆକ୍ରମଣର ଶିକାର ଛାତ୍ରମାନେ ଭିମ୍ସାର କର୍ତ୍ତୃପକ୍ଷଙ୍କ ନିକଟରେ ଘଟଣା ସମ୍ପର୍କରେ ପୁନଃ ଅଭିଯୋଗ କରିଥିଲେ । ଏନେଇ ଭିମ୍ସାର କର୍ତ୍ତୃପକ୍ଷ ଆଣ୍ଟି ରାଗିଙ୍ଗ୍ ସେଲ୍କୁ ଜଣାଇବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।