ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧୫ ରୁ ଆରମ୍ଭ ହେବାକୁ ଯାଉଛି କୃଷି ଓଡିଶା ୨୦୨୧ । ଭୁବନେଶ୍ୱର, ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବ । ତେବେ ଚଳିତ ବର୍ଷର ଥିମ ରହିଛି ‘ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ । ତେବେ ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଓ ଏହା ଚାଷୀଙ୍କ ବିକାଶରେ କିପରି ସହାୟକ ହେବ ସେ ସମ୍ପର୍କରେ ବିସ୍ତୃତ ଭାବେ କହିଛନ୍ତି କୃଷିମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ । ଚାଷୀଙ୍କୁ ବୈଷୟିକ ଜ୍ଞାନ କୌଶଳ, କୃଷି ସରଞ୍ଜାମ ଓ ବଜାର ସହ ଯୋଡ଼ିବା ‘କୃଷି ଓଡ଼ିଶା’ର ଲକ୍ଷ୍ୟ ବୋଲି କହିଛନ୍ତି କୃଷି ମନ୍ତ୍ରୀ ।
‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରତିବର୍ଷ ଏହି ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । କୃଷି ଓଡ଼ିଶା ଆୟୋଜନ କରିବା ପଛର ଉଦ୍ଦେଶ୍ୟ ହେଉଛି କୃଷି କ୍ଷେତ୍ରରେ ବିଶ୍ୱର ବିଭିନ୍ନ ଦେଶରେ କ’ଣ କ’ଣ ଉନ୍ନତି ହୋଇଛି, କ’ଣ ଉନ୍ନତ ଯନ୍ତ୍ରପାତି, ଜ୍ଞାନ କୌଶଳ ଆସିଛି ଓ ଉତ୍ପାଦନ କରିବାର ପ୍ରଣାଳୀ ସମ୍ବନ୍ଧରେ ଏକ ପ୍ରଦର୍ଶନୀ କରିବା ଏବଂ ଶିକ୍ଷା ଦେବା । କୃଷି ଓଡ଼ିଶା’ର ଉଦ୍ଦେଶ୍ୟ ହେଉଛି କୃଷି କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ଓ ଚାଷୀଙ୍କୁ ଉନ୍ନତମାନର ଜ୍ଞାନ କୌଶଳ ଓ ବିଭିନ୍ନ ପ୍ରକାର ସହଯୋଗ ଯୋଗାଇବା । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅନେକ ଚାଷୀ ଯୋଗ ଦିଅନ୍ତି ।
ଚାଷୀଙ୍କ ବିକାଶରେ ‘କୃଷି ଓଡ଼ିଶା’ର ଭୂମିକା
କୃଷି ଓଡ଼ିଶାର ଲକ୍ଷ୍ୟ ହେଉଛି ଯେତେସବୁ ଉନ୍ନତମାନର ଜ୍ଞାନ କୌଶଳ ଆସୁଛି ତାହାକୁ ଚାଷୀଙ୍କ ନିକଟରେ ପହଞ୍ଚାଇବା । ଚାଷୀଙ୍କୁ ବେଶୀ ଯନ୍ତ୍ରପାତୀ ବ୍ୟବହାର ଶିଖାଇବା । କମ୍ ଖର୍ଚ୍ଚରେ କେମିତି ଅଧିକ ଉତ୍ପାଦନ କରିହେବ ସେ ସମ୍ପର୍କରେ ଜଣାଇବା । ଚାଷୀଙ୍କୁ କେମିତି ସହଜରେ ୠଣ ମିଳିବ ସେ ବିଷୟରେ ବୁଝାଇବା ।
ଚଳିତ ବର୍ଷର ‘କୃଷି ଓଡ଼ିଶା’ର ମୁଖ୍ୟ ଆକର୍ଷଣ
ଚଳିତ ବର୍ଷ ‘କୃଷି ଓଡ଼ିଶା’ରେ ମାର୍ଚ୍ଚ ୧୫ରୁ ୧୯ ଯାଏଁ ପ୍ରତି ସନ୍ଧ୍ୟାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ଚାଷୀ, କୃଷି ଉଦ୍ୟୋଗୀ, କୃଷି ସହିତ ସମ୍ପୃକ୍ତ ବ୍ୟବସାୟୀ, ବ୍ୟାଙ୍କ ଓ ବୀମା କମ୍ପାନି, ଯନ୍ତ୍ରପାତି ନିର୍ମାଣକରୀ କମ୍ପାନିମାନେ ସାମିଲ ହେବେ । ଦିନରେ ବିଭିନ୍ନ ପ୍ରକାର କର୍ମଶାଳା ଆୟୋଜିତ ହେବ । ୪ ଦିନ ଭିତରେ ୧୦ ଟି ବିଷୟରେ ଆଲୋଚନା ଚକ୍ର ହେବ। ଏହି ଆଲୋଚନା ଚକ୍ରରେ ରୋଲ୍ ଅଫ୍ ଏଫ୍ପିଓ (ଫାର୍ମର, ପ୍ରଡ୍ୟୁସର, ଅର୍ଗାନାଇଜେସନ), ଫ୍ଲୋରି କଲଚର, ସଷ୍ଟେନେବୁଲ ଫିସ୍ ଫାର୍ମିଙ୍ଗ, ମିଲେଟ୍ ମିଶନ, ଅର୍ଗାନିକ ଫାର୍ମିଙ୍ଗ, ଏଗ୍ରି ଏଣ୍ଟରପ୍ରିନ୍ୟୁରସିପ୍ ଆଦି ବିଷୟ ରହିଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭୁବନେଶ୍ୱରରେ କୃଷି ଓଡ଼ିଶାର ମୁଖ୍ୟ ଉତ୍ସବ ହେଉଥିଲା ବେଳେ ୩୦ ଟି ଜିଲ୍ଲାରେ କୃଷିମେଳା ଅନୁଷ୍ଠିତ ହେବ । ଯେଉଁଥିରେ ଭୁବନେଶ୍ୱରର କାର୍ଯ୍ୟକ୍ରମରେ ଯାହାହେବ ସେଠାରେ ବି ପ୍ରଦର୍ଶିତ ହେବ ।