ସନ୍ଷ୍ଚାର ଟିଭି ବ୍ୟୁରୋ
ଭୁବନେଶ୍ୱର: ମାର୍ଚ୍ଚ ମାସ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା । ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍ଟିଏ) ପକ୍ଷରୁ ଗତ ଶୁକ୍ରବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍ ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଛି । ତେବେ ଏହି ପରୀକ୍ଷା ୧୬ ରୁ ଆରମ୍ଭ ହୋଇ ୧୮ ତାରିଖରେ ସରିବ ।
ଓଡ଼ିଶାରେ ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା, ଢେଙ୍କାନାଳ, କଟକ, ବ୍ରହ୍ମପୁର, ବାଲେଶ୍ୱର, ଅନୁଗୁଳ, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀ, ଜଗତସିଂହପୁର ସମେତ ୧୭ଟି ସହରର ୮୫ଟି କେନ୍ଦ୍ରରେ ଜେଇଇ ମେନ୍ ପାଇଁ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି । ସେହିପରି ଦେଶ ଓ ବିଦେଶରେ ୩୩୧ଟି କେନ୍ଦ୍ରରେ ପରୀକ୍ଷା ହେବ ବୋଲି ଏନ୍ଟିଏର ବରିଷ୍ଠ ପରୀକ୍ଷା ନିର୍ଦ୍ଦେଶକ ଡ. ସାଧନା ପରିସର ସୂଚନା ଦେଇଛନ୍ତି ।
ଛାତ୍ରଛାତ୍ରୀମାନେ ନିଜର ଆବେଦନ ଫର୍ମର ନମ୍ବର ଓ ଜନ୍ମ ତାରିଖ ଦେଇ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । jeemain.nta.nic.in ରୁ ଡାଉନ୍ଲୋଡ୍ ସମୟରେ ଅସୁବିଧା ହେଲେ ୦୧୧-୪୦୭୫୯୦୦୦ରେ ଯୋଗାଯୋଗ କରିବାକୁ କୁହାଯାଇଛି । ଯେଉଁମାନେ ଏକାଧିକ ବାର ଆବେଦନ କରିଛନ୍ତି, ସେମାନଙ୍କ ଆଡମିଟ୍ କାର୍ଡ ରଦ୍ଦ କରାଯାଇଛି । ସେହି ଛାତ୍ରଛାତ୍ରୀମାନେ ଏନ୍ଟିଏକୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଡାକରେ ଆଡମିଟ୍ କାର୍ଡ ଆସିବନି ବୋଲି ସ୍ପଷ୍ଟ କରାଯାଇଛି।
ଅପରପକ୍ଷେ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ପଡ଼ିବ । ପ୍ରାର୍ଥୀମାନେ ପରିଚୟ ପ୍ରମାଣ (ଭୋଟର୍ ଆଇ କାର୍ଡ଼/ଆଧାର କାର୍ଡ଼/ଡ୍ରାଇଭିଂ ଲାଇସେନ୍ସ/ପାସପୋର୍ଟ) ସମେତ ଆତ୍ମଘୋଷଣା ଫର୍ମ (ସେଲ୍ଫ ଡିକ୍ଲାରେସନ୍ ଫର୍ମ) ମଧ୍ୟ ନେଇ ଆସିବେ । ନଚେତ୍ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ । କରୋନା କଟକଣାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା କମ୍ପ୍ୟୁଟର୍ ବେସ୍ଡ ଟେଷ୍ଟ୍ ବା ସିବିଟି ମୋଡ୍ରେ ହେବ ।