ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଖୁବ୍ ଶୀଘ୍ର କମିଶନରେଟ୍ ପୋଲିସ ଏକ ନୂଆ ଆପ୍ ‘ଅତିଥି’ର ଲୋକାର୍ପଣ କରିବାକୁ ଯାଉଛି । ଟ୍ଵିନ ସିଟିରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଏହି ଆପ୍ର ଲୋକାର୍ପଣ କରାଯାଉଛି । ଏହି ଆପ୍ ବଳରେ ହୋଟେଲ, ଲଜ ମାନଙ୍କରେ ରହୁଥିବା ଅପରାଧମାନଙ୍କ ବିଷୟରେ ଜାଣିହେବ ଓ ହୋଟେଲ ଓ ଲଜ୍ମାନଙ୍କରେ ହେଉଥିବା ଅନୈତିକ କାର୍ଯ୍ୟକଳାପକୁ ରୋକାଯାଇପାରିବ ।
ଟ୍ଵିନ୍ ସିଟିରେ ଘଟୁଥିବା ଅଧିକାଂଶ ଅପରାଧର ଅପରାଧିମାନେ ବାହାରୁ ଆସି ହୋଟେଲରେ ରହି ଅପରାଧର ବ୍ଲୁ ପ୍ରିଣ୍ଟ ତିଆରି କରିଥାନ୍ତି । ଅପରାଧ ଘଟାଇ ସାରିବା ପରେ ସେଠାରୁ ଫେରାର୍ ହୋଇଯାଉଛନ୍ତି । ତେବେ ହୋଟେଲ ବା ଲଜ ଗୁଡିକରେ ରହୁଥିବା ଗେଷ୍ଟ ମାନଙ୍କ ତଥ୍ୟ ପୋଲିସକୁ ଦେବାକୁ ନିୟମ ଥିଲେ ମଧ୍ୟ ଏହି ନିୟମ କିଛି କିଛି ହୋଟେଲମାନେ ମାନୁଛନ୍ତି । କିନ୍ତୁ ଅଧିକାଂଶ ହୋଟେଲ ଏହାକୁ ଅବମାନନା ମଧ୍ୟ କରୁଛନ୍ତି ।
ଏହି ସବୁ ସମସ୍ୟାର ସମାଧାନ ପାଇଁ କମିଶନରେଟ୍ ପୋଲିସ ‘ଅତିଥି’ ଆପ୍ ଆଣିବାକୁ ଯାଉଛନ୍ତି । ହୋଟେଲରେ ରହିବାକୁ ଆସିଥିବା ଗେଷ୍ଟ ମାନଙ୍କର ପରିଚୟ ପତ୍ର ଓ ଅନ୍ୟାନ୍ୟ ତଥ୍ୟ ସେହି ଆପ୍ରେ ଅପଲୋଡ କରିବାକୁ ପଡିବ । ପୁଲିସ ଏହି ସବୁ ତଥ୍ୟକୁ ଯାଞ୍ଚ କରି ଅପରାଧି ବିଷୟରେ ଜାଣିପାରିବ ।