ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟ ପରି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ କରୋନା କଟକଣା ବଳବତ୍ତର ରହିବ ଓ ଗୃହ କାର୍ଯ୍ୟ ସମୟରେ କରୋନା କଟକଣା ଅନୁସାରେ କାର୍ଯ୍ୟ ଚାଲିବ। ବିଧାୟକଙ୍କଠାରୁ ଆରମ୍ଭ କରି ବିଧାନସଭା ସୁରକ୍ଷାକର୍ମୀ, କର୍ମଚାରୀ ଏବଂ ସାମ୍ବାଦିକଙ୍କର ଆଣ୍ଟିଜେନ ପରୀକ୍ଷା କରାଯାଇଛି। କେବଳ ନେଗେଟିଭ ରିପୋର୍ଟଧାରୀଙ୍କୁ ବିଧାନସଭା ପ୍ରବେଶ ଅନୁମତି ମିଳିବ ବୋଲି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେହିପରି ବିଧାନସଭାର ନିୟମିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଇ-ମୋଡରେ କାର୍ଯ୍ୟକାରୀ କରିବା ପାଇଁ ବାଚସ୍ପତି ଆଉ ପାଦେ ଆଗକୁ ବଢ଼ିଛନ୍ତି। ଏଥିପାଇଁ ଗତ ବୁଧବାର ନେଭା ସେଲକୁ ବାଚସ୍ପତି ଡ. ପାତ୍ର ଉଦ୍ଘାଟନ କରିଛନ୍ତି। ଏଥିରେ ୧୦ ଜଣ ବୈଷୟିକ ତାଲିମ ପ୍ରାପ୍ତ କର୍ମଚାରୀ ନିୟୋଜିତ ଅଛନ୍ତି। ସେମାନେ ଇ-ବିଧାନସଭା ଅନ୍ତର୍ଗତ ବିଭିନ୍ନ ଆପ୍ର ବିକାଶ କରିବେ ଏବଂ ଜନସାଧାରଣ ବିଧାନସଭାରେ ହେଉଥିବା ବିଭିନ୍ନ ଆଲୋଚନାର ବିବରଣୀ ପାଇପାରିବେ। ଦ୍ୱିତୀୟ ପର୍ଯ୍ୟାୟରେ ଗୃହରେ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ସହ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନା ହେବ। ସେହିପରି ଆସନ୍ତା ୩୧ ତାରିଖରେ ଗୃହରେ ବ୍ୟୟମଞ୍ଜୁରୀ ବିଧେୟକ ଗୃହୀତ ହେବ। ପ୍ରଥମ ପର୍ଯ୍ୟାୟରେ ସୀମା ବିବାଦ, ମଣ୍ଡି ଅବ୍ୟବସ୍ଥା, ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ଗୃହରେ ହୁଲୁସ୍ତୁଲ କରିଥିବା ବେଳେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଅଧିବେଶନରେ ଜଙ୍ଗଲ ନିଆଁ, ଧାନ କିଣା ଅବ୍ୟବସ୍ଥା ଏବଂ ବେକାରୀ ପ୍ରସଙ୍ଗକୁ ବିରୋଧୀ ଉଠାଇବେ ବୋଲି ସୂଚନା ମିଳିଛି। ଦ୍ୱିତୀୟ ପର୍ଯ୍ୟାୟରେ ଗୃହରେ ଦଳର ଆଭିମୁଖ୍ୟକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ସହ ପରିବେଶ ଏବଂ ଜୀବଜନ୍ତୁଙ୍କ ଉପରେ ଗୁରୁତର ବିପଦ ସୃଷ୍ଟି ହୋଇଛି। ମାତ୍ର ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଏହି ପ୍ରସଙ୍ଗକୁ ଆମେ ଗୃହରେ ଉତ୍ଥାପନ କରିବା ସହ ବେକାରୀ, ଧାନକିଣାରେ ଅବ୍ୟବସ୍ଥାକୁ ମଧ୍ୟ ଗୃହରେ ଉଠାଇବୁ ବୋଲି ସେ କହିଛନ୍ତି।