ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଏପ୍ରିଲ ୧ରୁ ପୂର୍ବତଟ ରେଳପଥ ଅଧିନସ୍ଥ ସମସ୍ତ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚାଲିବାର ସମ୍ଭାବନା ରହିଛି । ତେବେ ଏ ନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥର ବରିଷ୍ଠ ଜନସଂପର୍କ ଅଧିକାରୀ । ସେ କହିଛନ୍ତି ଯେ ବର୍ତ୍ତମାନ କୋଭିଡ କଟକଣା ଯୋଗୁଁ ୫୯ ଯୋଡ଼ା ଟ୍ରେନ ଚାଲୁଛି । ଏବେ ପ୍ରାୟ ୭୨ ପ୍ରତିଶତ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି । ଆଗାମୀ ଦିନରେ ଏହାକୁ ବୃଦ୍ଧି କରାଯିବ ଓ ଏପ୍ରିଲ ୧ ସୁଦ୍ଧା ଏହାକୁ ସଂପୂର୍ଣ୍ଣ ସ୍ବାଭାବିକ କରାଯିବ ।
ତେବେ ରାଜ୍ୟରେ ପୂର୍ବ ବର୍ଷ କରୋନା ମହାମାରୀ ଯୋଗୁଁ ଟ୍ରେନ ଚଳାଚଳ ବେଶ୍ ବାଧାପ୍ରାପ୍ତ ହୋଇଥିଲା । କରୋନା ସଂକ୍ରମଣ ବ୍ୟାପିବା ଭୟରେ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ତେବେ କୋଭିଡ କଟକଣା ଲାଗୁ ହେବା ପୂର୍ବରୁ ରାଜ୍ୟରେ ୮୯ ଯୋଡ଼ା ଟ୍ରେନ ଚଳାଚଳ କରୁଥିଲା । କିନ୍ତୁ ଏବେ ୫୯ ଯୋଡ଼ା ଚାଲୁଛି । ଟ୍ରେନ ଚଳାଚଳକୁ ସଂପୂର୍ଣ୍ଣ ସ୍ବାଭାବିକ କରିବାକୁ ଲୋକମାନେ ନିୟମିତଭାବେ ଦାବି କରିଆସୁଛନ୍ତି । ସେମାନଙ୍କ ଦାବିକୁ ଦୃଷ୍ଟିରେ ରଖି ଟ୍ରେନ ଚଳାଚଳକୁ ସ୍ବାଭାବିକ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ରେଳ ବୋର୍ଡ ଓ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ।ତେଣୁ ଆସନ୍ତା ଏପ୍ରିଲ ମାସରୁ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚଳାଚଳ ସ୍ବାଭାବିକ ହେବା ନେଇ ଆଶା କରାଯାଉଛି ।