ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆପଡ଼ା: ପଶ୍ଚିମ ଓଡିଶାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡାରେ ପହଞ୍ଚିଛନ୍ତି ।ମାଲକାନଗିରି, କଳାହାଣ୍ଡି ,ସୁନ୍ଦରଗଡ଼ ଜିଲ୍ଲା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ନୂଆପଡା ରହିଛି । ଆଜି ସ୍ଵତନ୍ତ୍ର ହେଲିକାପ୍ଟର ମାଧ୍ୟମରେ ନୂଆପଡ଼ା ତିଖାଲିରେ ପହଞ୍ଚି ବହୁ ପ୍ରତିକ୍ଷିତ ଲୋୟର ଇନ୍ଦ୍ର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ଏଥିସହିତ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଉଦ୍ଘାଟନ ସମାରୋହ ପାଇଁ ଖଡିଆଳ ରାଜା ଏଟି ହାଇସ୍କୁଲ ପଡିଆରେ ଆୟୋଜିତ ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିଛନ୍ତି । ନିଜ ଅଭିଭାଷଣରେ ବିଜୁ ବାବୁଙ୍କ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ ନୂଆପଡାକୁ ଯେତେବେଳେ ବିଜୁବାବୁ ସ୍ଵତନ୍ତ୍ର ଜିଲ୍ଲା ଭାବେ ଘୋଷଣା କଲେ ସେତେବେଳେ ତାଙ୍କୁ କିଛି ଜଣ ପ୍ରଶ୍ନ କରିଥିଲେ ଯେ କାହିଁକି ଏତେ ଛୋଟ ଅଞ୍ଚଳକୁ ସେ ଜିଲ୍ଲା ଭାବେ ଘୋଷଣା କଲେ, ସେ ଉତ୍ତର ଦେଇଥିଲେ ଯେ ନୂଆପଡା ଦୂରରେ ରହିଛି, ଦୂରରେ ଥିବା ପିଲାମାନଙ୍କୁ ଯେପରି ପିତାମାତା ଅଧିକ ଭଲ ପାଇଥାନ୍ତି ସେହିପରି ଦୂରରେ ଥିବା ନୂଆପଡାକୁ ମଧ୍ୟ ମୁଁ ଅଧିକ ଭଲ ପାଇଥାଏ ।
ସେ ଆଉ ମଧ୍ୟ କହିଛନ୍ତି ଯେ ୨୦୨୨ ସୁଦ୍ଧା ସମସ୍ତଙ୍କ ଘରେ ଘରେ ପାଇପ୍ ପାଣି ପହଞ୍ଚିବ । ନୂଆପଡା ଓ ଖଡିଆଳରେ ଦୁଇଟି ଇନ୍ଡୋର ଷ୍ଟାଡିୟମ ମଧ୍ୟ ନିର୍ମାଣ କରାଯିବ । ପୂର୍ବରୁ ନୂଆପଡାକୁ ମରୁଡି ପ୍ରବଣ ଅଞ୍ଚଳ କୁହାଯାଉଥିଲା ଏବେ ଏହା ଶସ୍ୟଶାମଳାରେ ଭରପୁର ଅଟେ । ହସ୍ପିଟାଲଗୁଡିକ ମଧ୍ୟ ଖୁବ୍ ଭଲ ପ୍ରଦର୍ଶନ କରୁଛନ୍ତି । ନୂଆପଡାରେ ଶିଶୁ ହାର କମିଛି । ବିଜୁ ଏକ୍ସପ୍ରେସ ଓ୍ଵେରେ ସବୁଠୁ ଅଧିକ ଲାଭ ପାଇଛି ନୂଆପଡା । ନୂଆପଡାରେ ୬୮୦ କୋଟି ଟଙ୍କା ବିନିମୟରେ ପ୍ରାୟ ୧୩୨ କି.ମି ରାସ୍ତା ନିର୍ମାଣ ହୋଇଛି ।
ତେବେ ଏହି ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ସହିତ ଅନେକ ବିଜେଡି କର୍ମୀ, ବିଧାୟକମାନେ ଉପସ୍ଥିତ ଥିଲେ ।