ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ତେବେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଦେଶର ସର୍ବାଧିକ ଦୂଷିତ ସହର ମଧ୍ୟରେ ୩ ନମ୍ବର ସ୍ଥାନରେ ରହିଛି ଦିଲ୍ଲୀ । ଏଭଳି ରିପୋର୍ଟକୁ ନେଇ ଦିଲ୍ଲୀବାସୀ ଚିନ୍ତାବ୍ୟକ୍ତ କରିଛନ୍ତି । ଅଦ୍ୟାବଧି ଦେଶର ୧୧୨ଟି ଦୂଷିତ ଏବଂ ବିପଜ୍ଜନକ ସହର ଚିହ୍ନଟ ହୋଇ ସାରିଥିବାବେଳେ ଆଉ ୧୬୮ଟି ସହରର ସ୍ଥିତି ଆକଳନ କରାଯିବା ପରେ ତଥ୍ୟ ମିଳିପାରିବ ବୋଲି ସିପିସିବି ପକ୍ଷରୁ କୁହାଯାଇଛି । ଦିଲ୍ଲୀର ୧୧ଟି ଅଞ୍ଚଳ ଅତ୍ୟନ୍ତ ବିପଦପୂର୍ଣ୍ଣ ।
ସେଥିମଧ୍ୟରେ ଭାଲସ୍ବା, ଗାଜିପୁର, ଝିଲିମିଲି ଶିଳ୍ପାଞ୍ଚଳ, ୱାଗିପୁର, ନିଉ ଫ୍ରେଣ୍ଡସ୍ କଲୋନୀ, ଦିଲଶାଦ ଗାର୍ଡେନ୍, ଲରେନ୍ସ ରୋଡ଼୍ ଅନ୍ୟତମ । ଏହାଛଡ଼ା ଆଉ ୧୨ଟି ଅଂଚଳରେ ମଧ୍ୟ ପ୍ରଦୂଷଣ ଉଦ୍ବେଗଜନକ ରହିଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ ଦିଲ୍ଲୀରେ ଏହି ପ୍ରଦୂଷଣର କାରଣ ମନୁଷ୍ୟକୃତ ଅଟେ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।