ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ଆଜି ନୂତନ ଓଡ଼ିଶା ନିର୍ମାତା, ପ୍ରବାଦ ପୁରୁଷ, ଓଡ଼ିଆ ସ୍ଵାଭିମାନର ପ୍ରତୀକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ସାରା ରାଜ୍ୟରେ ଏହାକୁ ପଞ୍ଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରାଯାଉଛି। ତେବେ ଏହି ଅବସରରେ ବିଜୁ ବାବୁଙ୍କ ନାମରେ ନାମିତ ଓଡିଶାର ମୁଖ୍ୟ ରାଜନୈତିକ ଦଳ ବିଜୁ ଜନତା ଦଳ ପକ୍ଷରୁ ପାଳନ ହେଉଛି ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଦିବସ ।
ବିଜୁ ବାବୁଙ୍କ ଦୁଃସାହସିକ ସାଇକେଲ ଯାତ୍ରାକୁ ମନେ ପକାଇ ଏକ ବିଶାଳ ସାଇକେଲ ରାଲିର ଆୟୋଜନ କରାଯାଇଛି । କଟକ ଆନନ୍ଦ ଭବନ ନିକଟରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଅଭିମୁଖେ ସାଇକେଲ୍ ରାଲି ବାହାରି ଭୁବନେଶ୍ବର ପାଖରେ ପହଞ୍ଚିଛି। ଏଥିରେ ମନ୍ତ୍ରୀ, ବିଧାୟକ ଠାରୁ ଆରମ୍ଭ କରି ହଜାର ହଜାର ସଂଖ୍ୟକ ଯୁବକ-ଯୁବତୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଦଳର ଯୁବ ବିଜେଡି, ଛାତ୍ର ବିଜେଡିର ଶହଶହ କର୍ମୀ ସାମିଲ ମଧ୍ୟ ହୋଇଛନ୍ତି । ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ଵରେ ଏହି ରାଲି ହୋଇଛି ।
କଟକରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଛାତ୍ର ବିଜେଡି ସଭାପତି ଦେବୀ ରଂଜନ ତ୍ରିପାଠୀ, ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ବିଜେଡି ନେତା ଦେବାଶିଷ ସାମନ୍ତରାୟ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରମୁଖ ଏହି ସାଇକେଲ ରାଲିର ନେତୃତ୍ୱ ନେଇଛନ୍ତି। ବିଜୁବାବୁ ଜନ୍ମଜୟନ୍ତୀ ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସବ ବୋଲି ନେତାମାନେ କହିଛନ୍ତି। ପ୍ରବାଦ ପୁରୁଷ ତାଙ୍କ ଜୀବନରେ କରିଥିବା କାର୍ଯ୍ୟକ୍ରମ ଆଜିର ଯୁବପିଢିଙ୍କୁ ଆଗକୁ ବଢ଼ିବାକୁ ସାହସ ଯୋଗାଏ ବୋଲି ବିଜୁ ଜନତା ଦଳର ନେତା ଓ କର୍ମୀ ଏହି ଅବସରରେ ମତ ରଖିଛନ୍ତି।