ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ କିଏ ଥିଲା ମୁଖ୍ୟ ଷଡ଼ଯନ୍ତ୍ରକାରୀ, କଣ ଥିଲା ସେହି କାଳ ରାତିର କାହାଣୀ ତାହା ଜାଣିବା ପାଇଁ ମୁଖ୍ୟ ଅଭିଯୁକ୍ତ ବିବନୁ ଆଜିଠୁ ଦୁଇଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ଦୁଇ ଦିନିଆ ରିମାଣ୍ଡରେ ନେଇ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳଠୁ ସତ ଓଗାଳିବା ପାଇଁ ମାରାଥନ ଜେରା କରିବ ତଦନ୍ତକାରୀ ସଂସ୍ଥା ସିବିଆଇ।
୧୯୯୯ ମସିହାର ସେହି କାଳ ରାତିରୁ ବାରଙ୍ଗ ନରଣପୁର ଠାରୁ ମୁମ୍ବାଇର ଆମ୍ବିଭ୍ୟାଲି ପର୍ଯ୍ୟନ୍ତ ସମସ୍ତ ତଥ୍ୟ ହାସଲ ପାଇଁ ପ୍ରଚେଷ୍ଠା ଚଳାଇଛି ସିବିଆଇ। କୁତ୍ସିତ କାରନାମା କରିବା ପରେ କେମିତି ରାଜ୍ୟ ବାହାରକୁ ଚମ୍ପଟ ମାରିଥିଲା ? କାହା ପ୍ରରୋଚନାରେ ଜଘନ୍ୟକାଣ୍ଡ ଘଟାଇଥିଲା କି ? କେଉଁମାନେ ଫେରାର କରାଇବାରେ ସହଯୋଗ କରିଥିଲେ ? ରାଜ୍ୟ ବାହାରେ କିଏ ସହଯୋଗ କରିଥିଲେ କି ? ପରିବାର ଲୋକଙ୍କ ସହ ସମ୍ପର୍କରେ ଥିଲା କି ନାହିଁ ? କେମିତି ନାଁ ବଦଳାଇ ଲୁଚିଥିଲା ଓ କେଉଁ ସ୍ଥାନରେ ରହିଥିଲା ? ଏଭଳି ଅନେକ ତଥ୍ୟ ହାସଲ କରିବାକୁ ସିବିଆଇ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି।
ରିମାଣ୍ଡ ବେଳେ ବିବନକୁ ବାରଙ୍ଗ ରାସ୍ତାରେ ଯେଉଁ ସ୍ଥାନରେ ଘଟଣା ଘଟିଥିଲା ସେଠାକୁ ନେଇ ସିବିଆଇ କ୍ରାଇମ ସିନ୍ ରିକ୍ରିଏସନ୍ କରିପାରେ । ଏଥି ସହିତ କମିଶନରେଟ୍ ପୋଲିସ ଠାରୁ ମିଳିଥିବା ନକଲି ପରିଚୟପତ୍ରକୁ ନେଇ ମଧ୍ୟ ଖୋଳତାଡ଼ କରିବ ସିବିଆଇ। ଆବଶ୍ୟକ ହେଲେ ବିବନକୁ ଦ୍ୱିତୀୟ ପର୍ୟ୍ୟାୟ ରିମାଣ୍ଡରେ ଆଣିବା ପାଇଁ ସିବିଆଇ କୋର୍ଟରେ ଆବେଦନ କରିପାରେ ।
ଗତକାଲି ଭୁବନେଶ୍ୱର ଝାରପଡ଼ା ଜେଲରେ ବିବନର ଟିଆଇ ପରେଡ ହୋଇଥିଲା । ୧୦ଜଣଙ୍କୁ ଛିଡ଼ା କରାଯାଇ ତାଙ୍କ ଭିତରୁ ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ଚିହ୍ନିବାକୁ କୁହାଯାଇଥିଲା। ହେଲେ ଅଞ୍ଜନା କିନ୍ତୁ ବ୍ୟସ୍ତବିବ୍ରତ ନହୋଇ ଆଙ୍ଗୁଠି ଉଠାଇ ଚିହ୍ନିଥିଲେ କଳା ରାତିର ସେହି ରାକ୍ଷାସ ବିବନଙ୍କୁ। ତାସହ ଘଟଣାଦିନ ଅଞ୍ଜନାଙ୍କ କାର୍ ଡ୍ରାଇଭର ଥିବା ନୀଳକଣ୍ଠ ରାଉତ ବି ବିବନକୁ ଟିଆଇ ପରେଡରେ ଚିହ୍ନଟ କରିଥିଲେ। ।