ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ଓଲିଉଡ୍ର ବହୁ ଚର୍ଚ୍ଚିତ ଯୋଡ଼ି ଯାହାଙ୍କ ପ୍ରେମ ସମ୍ପର୍କ ଦର୍ଶକମାନଙ୍କ ମଧ୍ୟରେ ସବୁବେଳେ ଚର୍ଚ୍ଚାର କାରଣ ସାଜିଥାଏ ଆଜି ବିବାହର ରୂପ ନେବାକୁ ଯାଉଛି । ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସୁପର୍ଷ୍ଟାର ସବ୍ୟସାଚୀ ମିଶ୍ର ଏବଂ ଚୁଲ୍ବୁଲି ନାୟିକା ଅର୍ଚ୍ଚିତା ସାହୁ । ତେବେ ଏନେଇ ଦୁହେଁ ନିଜ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ତାଙ୍କ ବିବାହ ରାଜସ୍ଥାନରେ ଏକ ବିଳାସପୂର୍ଣ୍ଣ ହୋଟେଲ୍ରେ ଅଳ୍ପ କିଛି ପରିବାର ସଦସ୍ୟଙ୍କ ଉପସ୍ଥିତିରେ ହେବ ବୋଲି ସୂଚନା ମିଳିଛି ।
ତେବେ ଦୀର୍ଘ ବର୍ଷ ହେବ ଓଲିଉଡ୍ରେ ଦୁଇ ଜଣଙ୍କ ଅନ୍ସ୍କ୍ରିନ ଯୋଡିକୁ ଦର୍ଶକମାନେ ଖୁବ୍ ପସନ୍ଦ କରୁଥିଲେ ଓ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ଅନୁମାନ କରୁଥିଲେ । କିନ୍ତୁ ଏ ନେଇ ପୂର୍ବରୁ ସବ୍ୟ ଅର୍ଚ୍ଚିତା କେବେ ମୁହଁ ଖୋଲି ନଥିଲେ । ହଠାତ୍ ରବିବାର ଏ ନେଇ ଉଭୟ ସୂଚନା ଦେବା ପରେ ଦୁହିଁଙ୍କ ପ୍ରଶଂସକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।
ଅର୍ଚ୍ଚିତା ନିଜ ଇନ୍ଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ସୁଖ ଆଉ ଦୁଃଖର ନାମ ଜୀବନ । ଅନେକଥର ଲାଗେ ସବୁକିଛି ସରିଗଲା । ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ । ବୋଧେ ସେଥିପାଇଁ ମତେ ଏମିତି ଏକ ଜୀବନସାଥୀ ମିଳିପାରିଲା । ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ। ସୋମବାର ଆମର ବାହାଘର । ଆମ ପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେସେହିପରି ଅନୁରୂପ ଭାବେ ସବ୍ୟସାଚୀ ମଧ୍ୟ ତାଙ୍କର ପ୍ରଶଂସକ ମାନଙ୍କୁ ତାଙ୍କର ସୁଖୀ ଜୀବନ ପାଇଁ ଆଶୀର୍ବାଦ କରିବାକୁ ନିବେଦନ କରିଛନ୍ତି ।
View this post on Instagram
ସୂଚନାଯୋଗ୍ୟ, ସବ୍ୟସାଚୀ ୨୦୦୭ରୁ ‘ପାଗଳପ୍ରେମୀ’ ଚଳଚ୍ଚିତ୍ର ମାଧ୍ୟମରେ ଓଲିଉଡ୍ରେ ଏଣ୍ଟ୍ରି କରିଥିବା ବେଳେ ଅର୍ଚ୍ଚିତା ୨୦୦୫ରେ ‘ଓ ମାଇଁ ଲଭ୍’ରେ ପ୍ରଥମଥର ପାଇଁ ନଜର ଆସିଥିଲେ । ସବ୍ୟସାଚୀ ଏଯାବତ ୩୭ରୁ ଅଧିକ ସିନେମାରେ ଏବଂ ଅର୍ଚ୍ଚିତା ୪୦ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି । ସପନର ସୌଦାଗର, ବାଏ ବାଏ ଦୁବାଇ, ମୁଁ ଏକା ତୁମର, ପିଲାଟା ବିଗିଡିଗଲା, ହେଲା ମତେ ପ୍ରେମ ଜର ପରି ଅନେକ ଫିଲ୍ମରେ ଏକାଠି ନଜର ଆସିଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା । ତେବେ କରୋନା ସମୟରେ ସବ୍ୟଙ୍କ ସାହାଯ୍ୟ ଓ ସହଯୋଗ ପାଇଁ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ସେ ଖୁବ୍ ପ୍ରଶଂସିତ ହୋଇଥିଲେ ।