ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଦେଶରେ କରୋନାର ଦ୍ଵିତୀୟ ଲହରୀ ଦେଖାଯାଉଥିବାରୁ ଚିନ୍ତିତ ଅଛନ୍ତି ରାଜ୍ୟ ସରକାର । ଓଡିଶାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବାହାର ରାଜ୍ୟରୁ ଫେରିଥିବା ଯାତ୍ରୀଙ୍କ ଉପରେ ଓଡ଼ିଶା ସରକାର କଡ଼ା କଟକଣା ଲଗାଇଛନ୍ତି । ତେବେ ଦେଶରେ ୫ ରାଜ୍ୟ ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଅଧିକ କରୋନା ବ୍ୟାପୁଥିବାରୁ ଏହି ୫ ରାଜ୍ୟରୁ ଓଡିଶାକୁ ଆସୁଥିବା ଯାତ୍ରୀମାନଙ୍କ ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ୍ ଆଣ୍ଟିଜେନ୍ କିଟ୍ ପରୀକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି ।
ଏଥିସହିତ ଏହି ୫ ରାଜ୍ୟ ଫେରାନ୍ତଙ୍କ ପାଇଁ ୭ଦିନ ଗୃହ ପୃଥକ୍ ବାସ ବାଧ୍ୟତାମୂଳକ ଭାବେ ଲାଗୁ କରିଛନ୍ତି । କିନ୍ତୁ ୩ ଦିନ ଭିତର କୋଭିଡ୍ ରିପୋର୍ଟ ନେଗେଟିଭ୍ ଥିଲେ ଓ ଟିକାକରଣ ପ୍ରମାଣପତ୍ର ଥିଲେ ହୋମ ଆଇସୋଲେସନ ଜରୁରୀ ନୁହେଁ ବୋଲି କୁହାଯାଇଛି। ଏ ସଂକ୍ରାନ୍ତରେ ସବୁ ଜିଲ୍ଲାପାଳ, ନଗର ନିଗମ କମିସନର, ବିଜୁ ପଟ୍ଟନାୟକ ଓ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଓ ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।