ସନ୍ଷ୍ଚାର ଟିଭି ବ୍ୟୁରୋ
ଭୁବନେଶ୍ବର: ବିଧାନସଭାରେ ଆଜି ପାରିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପରେ ସଂକଳ୍ପ ପ୍ରସ୍ତାବ ଆଣିବା ପରେ ସର୍ବସମ୍ମତିକ୍ରମେ ପାରିତ ହୋଇଛି ଏହି ସଂକଳ୍ପ ପ୍ରସ୍ତାବ । ତେବେ ଏହି ପ୍ରସ୍ତାବ ଉପସ୍ଥାପନ କରିବା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶ୍ରୀମନ୍ଦିରର ନିରାପତ୍ତା, ଭକ୍ତଙ୍କ ନିରାପତ୍ତା, ଭକ୍ତଙ୍କ ପାଇଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ଯୋଜନା ପ୍ରସ୍ତୁତି ଲାଗି ଗଜପତି ମହାରାଜା ଦିବ୍ୟସିଂହ ଦେବ , ପଦ୍ମଭୂଷଣ ରଘୁନାଥ ମହାପାତ୍ର ଓ ଗବେଷକ ସୁବାସ ପାଣିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାଛଡ଼ା ସେ ଏହି ଯୋଜନା କାର୍ଯ୍ୟକାରୀ ହେବାରେ ସହଯୋଗ କରୁଥିବାରୁ ଶ୍ରୀମନ୍ଦିରର ସେବାୟତ ଓ ପୁରୀ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଛନ୍ତି।
ଏହି ଯୋଜନାକୁ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କର ଯୋଜନା କହିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିରର ନିରାପତ୍ତା, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଭକ୍ତମାନଙ୍କର ନିରାପତ୍ତା ଓ ଭକ୍ତମାନଙ୍କ ପାଇଁ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଏହି ଯୋଜନାର ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆମ ସମୟରେ ହିଁ ମହାପ୍ରଭୁଙ୍କ ଧାମର ବିକାଶ ପାଇଁ ସେ ଆମକୁ ସୁଯୋଗ ଦେଇଥିବା କଥା ମଧ୍ୟ କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହରେ ପାରିତ ହୋଇଛି।