ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବାରେ ଲାଗିଛି । ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ଚାଲୁଥିବା ଶିକ୍ଷାନୁଷ୍ଠାନ ଗୁଡିକର ପାଠପଢା ସମୟରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅନ୍ୟ କ୍ଲାସ ଗୁଡିକ କୋଭିଡ୍ ସଂକ୍ରମଣ ପାଇଁ ବନ୍ଧ ଥିବା ବେଳେ ଚାଲୁ ରହିଥିବା କ୍ଲାସ ଯେପରିକି ନବମ ଓ ଏକାଦଶ ଶ୍ରେଣୀର ପାଠପଢା ସକାଳ ୭ଟାରୁ ଆରମ୍ଭ ହୋଇ ୯ଟା ପର୍ଯ୍ୟନ୍ତ ହେବ ଏବଂ ଦଶମ ଓ ଦ୍ବାଦଶ ଶ୍ରେଣୀର ପାଠପଢ଼ା ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ।
ଏଥି ସହିତ ଯଦି ବିଦ୍ୟାଳୟର ନଳକୂପ ବା ଜଳ ଉତ୍ସ ଗୁଡିକ ଖରାପ ହୋଇଯାଇଥିବ ତେବେ ତାକୁ ତୁରନ୍ତ ମରାମତି କରାଯିବ ଓ ଛାତ୍ରଛାତ୍ରୀମାନଙ୍କୁ ପାଣି ବୋତଲ ସାଥିରେ ନେବା ପାଇଁ ସଚେତନ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତେବେ ବିଦ୍ୟାଳୟ ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ଓଆର୍ଏସ୍ ରଖିବାକୁ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ୧୯ ମିୟମକୁ ପାଳନ କରି ଗମନାଗମନ ବ୍ୟବସ୍ଥାକୁ ତ୍ଵରାନ୍ଵିତ କରାଯିବ । ତେବେ ଏହି ନିୟମ ମାର୍ଚ୍ଚ ପହିଲାରୁ କାର୍ଯ୍ୟକାରୀ ହେବ ।