ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବିଧାନସଭା ବଜେଟ ଅଧିବେଶନର ଷଷ୍ଠ ଦିନରେ ଚାଲିଛି ପ୍ରଶ୍ନକାଳ ସମୟ । ଏହି ସମୟରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କାଳିଆ ଯୋଜନା ବାବଦରେ ପ୍ରଶ୍ନର ଉତ୍ତର ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଅଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ମିଳିଥିବାରୁ ରାଜକୋଷରୁ କେତେ ଟଙ୍କା ଅଯଥାରେ ବରବାଦ ହୋଇଛି, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଭୁଲ ଯୋଗୁ କେତେ ହିତାଧିକାରୀ ସହୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ଓ ଏସବୁ ଅନିୟମିତତା ପାଇଁ କେଉଁ ସବୁ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯାଇଛି ସେ ନେଇ ପ୍ରଶ୍ନ ପଚାରିଥିଲେ ସୌମ୍ୟରଞ୍ଜନ ।
ଆଉ ଏହାର ଉତ୍ତର ଦେଇ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, କାଳିଆ ଯୋଜନାରେ ଏବେ ୧୦୪୦୭୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୬,୧୪,୭୦୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଏହାଛଡ଼ା କୌଣସି ହିତାଧିକାରୀ ଯେପରି ଡିବିଟି ଜରିଆରେ ସହାୟତା ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ କାଳିଆ ଯୋଜନାରେ ଆଧାର ଭିତ୍ତିକ ଓ ବ୍ୟାଙ୍କ ଆକାଉଣ୍ଟ ଭିତ୍ତିକ ଅର୍ଥରାଶି ପଠାଯାଉଛି । ଏହାପୂର୍ବରୁ ଅନେକ ଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରୁ ବାଦ୍ ପଡ଼ିଥିବା ବେଳେ ଅନେକ ଅଯୋଗ୍ୟ ହିତାଧିକାରୀ କାଳିଆ ଯୋଜନାରେ ଟଙ୍କା ପାଇଥିବା ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଛି ।