ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନାର ସଂକ୍ରମଣ ଏବେ ପୁଣି ବଢିବାରେ ଲାଗିଛି । ଯାହାକୁ ନେଇ ଦିଲ୍ଲୀ ସରକାର ଦିଲ୍ଲୀବାସୀଙ୍କୁ ସତର୍କ ରହିବାକୁ ସୂଚନା ଦେଇଛନ୍ତି । ଏଥିସହିତ ଦିଲ୍ଲୀରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବାହାର ରାଜ୍ୟରୁ ଦିଲ୍ଲୀ ଆସୁଥିବା ଲୋକଙ୍କ ପାଇଁ କଟକଣା ଜାରି କରିଛନ୍ତି ।
ଦେଶର ୫ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ପଞ୍ଜାବରୁ ସଂକ୍ରମଣ ମାମଲା ସବୁଠୁ ଅଧିକ ଥିବାରୁ ସେଠାରୁ ଦିଲ୍ଲୀ ଆସୁଥିବା ଲୋକମାନଙ୍କ ପାଇଁ ନେଗେଟିଭ୍ କରୋନା ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି ଦିଲ୍ଲୀ ସରକାର।ଏହି ରିପୋର୍ଟ ନଥିଲେ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ମିଳିବନି ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ।
ଗତ ସପ୍ତାହରୁ ଆସୁଥିବା କରୋନା ସଂକ୍ରମଣ ମାମଲାରୁ ୮୬ ପ୍ରତିଶତ କେବଳ ଏହି ୫ଟି ରାଜ୍ୟରୁ ଅଛନ୍ତି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସତର୍କତା ଅବଲମ୍ବନ କରିଛନ୍ତି। ଆଜି ଏନେଇ ଔପଚାରିକ ଭାବେ ଗାଇଡଲାଇନ ଜାରି କରାଯିବ । ଦିଲ୍ଲୀ ଆସିବା ପୂର୍ବରୁ ୭୨ ଘଣ୍ଟା ତଳର ଆରଟି-ପିସିଆର ନେଗେଟିଭ୍ ରିପୋର୍ଟ ଗ୍ରହଣ କରାଯିବ।ଏହାଠୁ ପୁରୁଣା ରିପୋର୍ଟକୁ ଗ୍ରହଣ କରାଯିବନି ।
ଫେବୃଆରୀ ୨୬ରୁ ଏହି ମାର୍ଚ୍ଚ ୧୫ ଦ୍ଵିପ୍ରହର ୧୨ଟା ଯାଏଁ ଏହି ନିୟମ ଲାଗୁ ହେବ। ଫ୍ଲାଇଟ, ଟ୍ରେନ ଏବଂ ବସରୁ ଦିଲ୍ଲୀ ଆସୁଥିବା ଯାତ୍ରୀଙ୍କ ଉପରେ ଏହି ନିର୍ଦ୍ଦେଶ ଲାଗୁ ହେବ। ତେବେ କାରରେ ଦିଲ୍ଲୀ ଆସୁଥିବା ଯାତ୍ରୀ ଏହି କଟକଣାରୁ ବାଦ ପଡିବେ ।