ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଦେଶରେ ପୁଣି କାୟା ମେଲାଉଛିି କୋରୋନା । ବିଭିନ୍ନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ସତର୍କ ରହିବାକୁ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ । ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେଲେଣି ରାଜ୍ୟ ସରକାର । କୋରନା କଟକଣା କଡାକଡି ପାଳନକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ ଆଜି ସମସ୍ତ ଜିଲ୍ଲାପାଳ, କମିଶନର, ଏସପିଙ୍କୁ ଚିଠି ଲେଖିଛନ୍ତି ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ଜେନା । କୋରନା ଗାଇଡ଼ଲାଇନକୁ କଡାକଡି ପାଳନ ବ୍ୟବସ୍ଥା କରିବା ସହ ସାପ୍ତାହିକ ଆକ୍ସନ ଟେକେନ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଏସଆରସି ଚିଠିରେ ଦର୍ଶାଇଛନ୍ତି ଯେ, କୋରନା ମହାମାରୀ ସହିତ ଗତ ବର୍ଷେ ହେଲା ସଂଗ୍ରାମ ଜାରି ରଖିଛି ।
କୋରୋନାକୁ ହରାଇବାରେ ରାଜ୍ୟ ବହୁ ପରିମାଣରେ ସକ୍ଷମ ହୋଇଛି । ସଂକ୍ରମଣ ସଂଖ୍ୟା ହ୍ରାସ ଏବଂ ଲୋକଙ୍କ ଜୀବିକାକୁ ଦୃଷ୍ଟିରେ ରଖି ସରକାର ଅଧିକାଂଶ କଟକଣା ହଟେଇଛନ୍ତି । ଶିକ୍ଷା/ ତାଲିମ ପ୍ରତିଷ୍ଠାନଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଛି । କୋରୋନା କଟକଣା କଡାକଡି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ, ଏବେ ଅନେକ ସ୍ଥାନରେ ଲୋକମାନେ କଟକଣା ପାଳନ କରୁନଥିବା ଦେଖିବାକୁ ମିଳୁଛି । ଅନେକ ଲୋକ ମାସ୍କ ପିନ୍ଧୁନାହାନ୍ତି । ଶାରୀରିକ ଦୂରତା ସହିତ ଅନ୍ୟାନ୍ୟ କଟକଣା ମାନୁ ନାହାନ୍ତି ।
ମହାରାଷ୍ଟ୍ର ସମେତ ଦେଶର କେତେକ ରାଜ୍ୟରେ ଅନେକ ନୂଆ କୋଭିଡ୍ ମାମଲା ଦେଖିବାକୁ ମିଳିଲାଣି । ରାଜ୍ୟରେ ଏହି ରୋଗର ପୁନର୍ବାର ସମ୍ଭାବନାକୁ ଏଡାଇବା ପାଇଁ କର୍ମକ୍ଷେତ୍ର ସମେତ ସର୍ବସାଧାରଣ ସ୍ଥାନରେ କୋରୋନା କଟକଣା କଡାକଡି କରିବା ଆବଶ୍ୟକ ପଡ଼ିଲାଣି । COVID-19 ସୁରକ୍ଷା ପ୍ରୋଟୋକଲଗୁଡ଼ିକର କଠୋର କାର୍ଯ୍ୟକାରିତାକୁ ନିଶ୍ଚିତ କରିବା ଆବଶ୍ୟକ ।
ଏସଆରିସିଙ୍କ କୋରୋନା ନିର୍ଦ୍ଦେଶନାମା
1. ଜିଲ୍ଲା ତଥା ପୋଲିସ କର୍ତ୍ତୃପକ୍ଷ କୋଭିଡ ଗାଇଡ଼ଲାଇନ କଡାକଡ଼ି ଯାଞ୍ଚ କରିବେ । ମାସ୍କ ପିନ୍ଧିବା, କାର୍ଯ୍ୟ ସ୍ଥାନ ଏବଂ ଶିକ୍ଷାନୁଷ୍ଠାନ ସମେତ ସମସ୍ତ ସର୍ବସାଧାରଣ ସ୍ଥାନରେ ଶାରୀରିକ ଦୂରତା ବଜାୟ ରଖିବା ନିର୍ଦ୍ଦେଶକୁ ନିଶ୍ଚିତ କରିବେ ।
2. ସମସ୍ତ ବଜାର ସ୍ଥାନ, ହାଟ ଏବଂ ଅନ୍ୟାନ୍ୟ ସ୍ଥାନରେ ଲାଉଡ ସ୍ପିକର ଘୋଷଣା ମାଧ୍ୟମରେ ଜନସଚେତନତା ବାରମ୍ବାର କରିବେ ।
3. ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ / ଶିକ୍ଷାନୁଷ୍ଠାନଗୁଡ଼ିକର କର୍ତ୍ତୃପକ୍ଷ ନିଜ ନିଜ ପ୍ରତିଷ୍ଠାନରେ COVID- 19 ସୁରକ୍ଷା ପ୍ରୋଟୋକଲଗୁଡିକର ପାଳନ କରୁଛନ୍ତି ନା ନାହିଁ ନଜର ଦେବେ ।
4. ବିବାହ, ସାମାଜିକ/ଧାର୍ମିକ କାର୍ଯ୍ୟ, କ୍ରୀଡ଼ା, ମନୋରଞ୍ଜନ, ଶିକ୍ଷାନୁଷ୍ଠାନ/ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁରକ୍ଷା ପ୍ରୋଟୋକଲଗୁଡିକର ଅନୁପାଳନ କରିବେ । ବଡ଼ ସମାବେଶରେ ଭିଡ଼ ଉପରେ କଡା ନଜର ରଖିବେ । କୌଣସି ପରିସ୍ଥିତିରେ ଅନୁମତିଠୁ ଅଧିକ ବ୍ୟକ୍ତି ସମାବେଶରେ ସାମିଲ ନହୁଅନ୍ତୁ ନଜର ଦେବେ ।
5. ବିଦ୍ୟାଳୟ, କଲେଜ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନୱାଡି କେନ୍ଦ୍ରରେ ପର୍ଯ୍ୟାପ୍ତ ତଥା କଠୋର ପରିମଳ ବ୍ୟବସ୍ଥା ବଜାୟ ରଖିବାକୁ ହେବ । ଶିକ୍ଷକ ଏବଂ ସଂପୃକ୍ତ କର୍ତ୍ତୃପକ୍ଷ ସୁରକ୍ଷା ପ୍ରୋଟୋକଲ ବଜାୟ ରଖିବେ ଏ ନେଇ ତାଗିଦ କରିବେ ।
6. ଲକ୍ଷଣ ଥିବା ଯେକୌଣସି ବ୍ୟକ୍ତିଙ୍କ ବାବଦରେ ନିକଟସ୍ଥ ସ୍ୱାସ୍ଥ୍ୟ ପ୍ରତିଷ୍ଠାନକୁ ଜଣାଇବେ । ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।
7. ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠ୍ୟକ୍ରମ କାର୍ଯ୍ୟକଳାପ ବ୍ୟତୀତ ଅନ୍ୟ କିଛି ଅନୁମତି ଦିଆଯିବ ନାହିଁ ।
8. ହୋଟେଲ, ରେଷ୍ଟୁରାଣ୍ଟ, ଢାବା ଏବଂ ଅନ୍ୟାନ୍ୟ ଖାଇବା ସ୍ଥାନ ପୋଲିସ୍ କର୍ତ୍ତୃପକ୍ଷଙ୍କ ତୀକ୍ଷ୍ଣ ନଜର ରଖିବେ ।
9. ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସ୍ଥାନ / ଅନୁଷ୍ଠାନ ପରିଦର୍ଶନ କରି Covid-19 ସୁରକ୍ଷା ପ୍ରୋଟୋକଲ୍ ଅନୁପାଳନ ହେଉଛି ନା ନାହିଁ ତଦାରଖ କରିବେ ।
10. ଗାଇଡଲାଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ । ନିୟମ ଉଲ୍ଲଂଘନ କରୁଥିବା ଦୋକାନ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକ ସିଲ୍ କରିବେ ।
ଉପରୋକ୍ତ ନିର୍ଦ୍ଦେଶଗୁଡ଼ିକ ଉରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଆସନ୍ତା ୨୨ ତାରିଖ ୧୧ AM ସୁଦ୍ଧା ଦାଖଲ କରିବା ବାଧ୍ୟତାମୂଳକ କରିଛନ୍ତି ଏସଆରସି ।