ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଗଡରେ ଜଣେ ପରେ ଜଣେ ନେତା ଦଳ ବଦଳ ଜାରି ରଖିଥିବା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ଆଉ ଏକ ବଡ ଝଟକା । ଏଥର କୌଣସି ନେତା ଦଳ ଛାଡି ନାହାନ୍ତି, ବରଂ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ପଶି ନୋଟିସ ଧରାଇଛି ସିବିଆଇ ।
ଦିଦିଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀଙ୍କୁ ସିବିଆଇ ସମନ ଜାରି କରିଛି । ସିବିଆଇର ଏକ ଟିମ କୋଇଲା ଦୁର୍ନୀତି ମାମଲାରେ ରବିବାର ଅଭିଷେକଙ୍କ ଘରେ ପହଞ୍ଚିଥିଲା । ତେବେ ପ୍ରଥମ ଥର ପାଇଁ ଏହି ମାମଲାରେ ଜେରା କରିବାକୁ ଟିଏମସି ସାଂସଦଙ୍କ ଘରକୁ ନୋଟିସ ପଠାଇଛି ସିବିଆଇ । ତେବେ ୨୪ ଘଣ୍ଟା ମଧ୍ୟରେ ଏହି ମାମଲାରେ ସିବିଆଇ ପକ୍ଷରୁ ପଚରାଉଚୁରା କରାଯିବ ।
ପୂର୍ବରୁ ମଧ୍ୟ ସିବିଆଇ ଅଭେଷକଙ୍କ ନିକଟତରଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଚଢାଉ କରିସାରିଛି ।୩୧ ଡିସେମ୍ବର ୨୦୨୦ରେ କୋଲକାତାରେ ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ବିନୟ ମିଶ୍ରଙ୍କ ଘରେ ଚଢାଉ କରାଯାଇଥିଲା । ବିନୟ ମିଶ୍ର ଅଭିଷକଙ୍କ ବେଶ ନିକଟତର । ସେହିପରି ୨୮ ଡିସେମ୍ବର ୨୦୨୦ ରେ କୋଲକାତା ସମେତ ୩ଟି ରାଜ୍ୟର ପାଖାପାଖି ୪୦ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା ସିବିଆଇ ।