ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ ଏକ ବର୍ଷ ଉର୍ଦ୍ଧ୍ଵ ସମୟ ହେବ କରୋନା ତାର କାୟା ବିସ୍ତାର କରିଚାଲିଛି । ତେବେ କରୋନା ଟିକା ବିକଶିତ ହେଲା ପରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା କମିବାକୁ ଲାଗିଥିଲା । କିନ୍ତୁ ଏବେ ପୁଣି ଏହାର ପ୍ରଭାବ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ଦେଶର ୫ଟି ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମଣ ହାର ବଢୁଥିବାର ଦେଖାଯାଉଛି । ଯାହା ପାଇଁ କେନ୍ଦ୍ର ସରକାର ଚିନ୍ତାରେ ପ୍ରକଟ କରିଛନ୍ତି । ମହାରାଷ୍ଟ୍ର, କେରଳ, ପଞ୍ଜାବ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ପଞ୍ଜାବରେ ଗତ ସାତ ଦିନ ମଧ୍ୟରେ ରେକର୍ଡ ହୋଇଥିବା ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଗତ ୨୪ଘଣ୍ଟା ମଧ୍ୟରେ ୩୮୩ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ମହାରାଷ୍ଟ୍ରରେ ଗତ ୨୪ଘଣ୍ଟାରେ ୬,୧୧୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଛତିଶଗଡ଼ରେ ୨୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ଏହି ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଲୋକମାନଙ୍କୁ କରୋନା କଟକଣା ମାନିବା ସହ ସତର୍କ ରହିବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସଂକ୍ରମଣ ହାର କମ କରିବା ପାଇଁ କରୋନା କଟକଣା ମାନିବା ଅତ୍ୟନ୍ତ ଜରୁରୀ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।