ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ‘କୋଟିଆ’ରେ ଆନ୍ଧ୍ର ସରକାରଙ୍କ ଅନୁପ୍ରବେଶକୁ ନେଇ ଓଡିଶା ସରକାର ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ । ତେବେ ଏହି ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛନ୍ତି । ଓଡ଼ିଶା ସରକାରଙ୍କୁ ଜବାବ ଦାଖଲ ପାଇଁ ୪ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ସୂଚନା ଅନୁସାରେ ପୂର୍ବରୁ ଆନ୍ଧ୍ର ସରକାର ସୁପ୍ରିମକୋର୍ଟରେ ୫୦ ପୃଷ୍ଠାର ସତ୍ୟପାଠ ଦାଖଲ କରିଥିଲେ । ଆନ୍ଧ୍ର ସତ୍ୟପାଠ ଉପରେ ଜବାବ ଦାଖଲ ପାଇଁ ଓଡ଼ିଶାକୁ ଏକ ମାସ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ ।
ଓଡ଼ିଶା ପକ୍ଷରୁ ଏହି ମାମଲାରେ ନିୟୋଜିତ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାର ପତି ଜଷ୍ଟିସ୍ ଏସ୍ଏ ବୋବ୍ଡେ, ଜଷ୍ଠିସ୍ ଏ.ଏସ୍.ବୋପାନ୍ନା ଓ ଜଷ୍ଟିସ ଭି. ରମା ସୁବ୍ରମନ୍ୟନଙ୍କ ଖଣ୍ଡପୀଠରେ ନିବେଦନ କରିଥିଲେ । ଶ୍ରୀ ସିଂହ ଯୁକ୍ତି ଉପସ୍ଥାପନ କରି କହିଥିଲେ,କୋଟିଆ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସର୍ବୋଚ୍ଚ ନ୍ୟାୟ୍ୟାଳୟ ୨୦୦୬ରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆନ୍ଧ୍ର ସରକାର ତାହାକୁ ପାଳନ କରିନାହାନ୍ତି । ନିର୍ଦ୍ଦେଶକୁ ଉଲଂଘନ କରି ଆନ୍ଧ୍ର ସରକାର କୋଟିଆକୁ ନିଜର ସୀମାରେ ଦର୍ଶାଇ ପଞ୍ଚାୟତ ନିର୍ବାଚନ କରାଉଛନ୍ତି ।
ଆନ୍ଧ୍ରର ଏଭଳି ଏକତରଫା ଆଚରଣ ଦ୍ବାରା ଗୁରୁତର ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି । ଅତଏବ ଏହି ଅଦାଲତ ଅବମାନନା ମାମଲାର ତ୍ବରିତ ଶୁଣାଣି କରାଯାଉ । ଖଣ୍ଡପୀଠ ଗତ ୧୨ ତାରିଖରେ ଏହି ମାମଲାର ଶୁଣାଣି ପାଇଁ ରାଜି ହୋଇଥିଲେ । ଏହାପରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବିଜୟନମଗରମ୍ ଜିଲ୍ଲାପାଳ କୋଟିଆ ଆନ୍ଧ୍ରର ଅଂଶ ଏବଂ ପୂର୍ବରୁ ସେଠାରେ .ଲୋକସଭା ଓ ବିଧାନସଭା ନିର୍ବାଚନ କରାଯାଇ ଆସୁଛି ବୋଲି ଦର୍ଶାଇବା ସହ ନିର୍ବାଚନ କମିସନଙ୍କ ମତଦାତା ସୂଚୀ ଇତ୍ୟାଦି ପ୍ରଦାନ କରି ସତ୍ୟପାଠ ଦାଖଲ କରିଥିଲେ ।