ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଗତବର୍ଷ ମାର୍ଚ୍ଚ ମାସ ଠାରୁ ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ତେବେ କରୋନାର ପ୍ରଭାବ ହ୍ରାସ ପାଇବା ପରେ ରାଜ୍ୟରେ ଧିରେ ଧିରେ ଶିକ୍ଷାନୁଷ୍ଠାନଗୁଡିକ ଖୋଲିବାରେ ଲାଗିଛି । ତେବେ ଚଳିତ ମାସ ୨୨ ତାରିଖରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଖୋଲିବାକୁ ଯାଉଛି । ଅନ୍ଲାଇନ୍ରେ କ୍ଲାସ କରାଯାଉଥିଲେ ମଧ୍ୟ ଚଳିତ ମାସ ୨୨ତାରିଖରୁ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ ।
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବଙ୍କ ନିର୍ଦ୍ଦେଶ ପରେ ଓୟୁଏଟି ତଥା ଏହା ଅଧୀନରେ ଥିବା ସମସ୍ତ କଲେଜ ଓ ପଲିଟେକନିକରେ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ ବୋଲି କୁଳସଚିବ ଲୋପାମୁଦ୍ରା ମହାନ୍ତି ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି ।
ସେହିପରି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ । କୋଭିଡ୍ ଗାଇଡଲାଇନ୍ ପାଳନ କରି ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲଗୁଡିକ ଖୋଲି ଦିଆଯାଇଛି । ତେବେ କ୍ଲାସ୍କୁ ପଶିବା ପୂର୍ବରୁ ହ୍ୟାଣ୍ଡ୍ ସାନିଟାଇଜ୍ରେ ହାତ ବିଶୋଧନ କରିବାକୁ ପଡିବ । ମୁହଁରେ ଫେସ୍ ମାସ୍କ ବାଧ୍ୟତାମୂଳକ । ସାମାଜିକ ଦୂରତା ରକ୍ଷା କରିବାକୁ ପଡିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।