ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଟ୍ରାଫିକ ନିୟମ ଉଲଂଘନକାରୀଙ୍କୁ ମିଳିବ ଲଭ୍ ଲେଟର । ଏପରି କହିଛନ୍ତି ପୁଲିସ୍ କମିସନର ଡ.ସୁଧାଂଶୁ ଷଢ଼ଙ୍ଗୀ । ସେ କହିଛନ୍ତି ଯେ ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନେ ଭାବୁଛନ୍ତି କି ପୁଲିସ ସେମାନଙ୍କୁ ଦେଖିପାରୁ ନାହିଁ । କିନ୍ତୁ କ୍ୟାମେରା ପ୍ରତି ଛକରେ ଲାଗିଛି ଓ ସେମାନଙ୍କ ଗତିବିଧିକୁ ରେକର୍ଡ କରୁଛି ।କ୍ୟାମେରାର ତଥ୍ୟ ଅନୁଯାୟୀ ଲୋକମାନଙ୍କୁ ପଠାଯାଉଛି ଚାଲାଣ । ପ୍ରତ୍ୟେକ ଦିନ ପ୍ରାୟ ୩୫ ଲୋକଙ୍କୁ ସିସିଟିଭି ଆଧାରରେ ଚାଲଣ କଟାଯାଉଛି ।
ସେ ଆଉ ମଧ୍ୟ କହିଛନ୍ତି ଯେ ଯେବେଠୁ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯାଇ ଜରିମାନା ଆଦାୟ କରାଯାଉଛି ପାଖାପାଖି ଏହି ଏକ ବର୍ଷ ମଧ୍ୟରେ କଟକ ଭୁବନେଶ୍ୱରରୁ ୨୫ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି । ସେ ଟ୍ରାଫିକ୍ ନିୟମ ଉଲଂଘନ କରୁଥିବା ଚାଳକଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଆପଣ ଭାବନ୍ତୁନି ‘ଟ୍ରାଫିକ ନିୟମ ଉଲଂଘନ କରି ଆପଣ ବଞ୍ଚିଯିବେ। କେବେ ନା କେବେ ଆପଣଙ୍କୁ ଆମେ ଧରିବୁ ଓ ଲଭ ଲେଟର ଦେବୁ।’