ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ହେରିଟେଜ୍ କରିଡର ପାଇଁ ପ୍ରସ୍ତାବିତ ନକ୍ସା ଉପରେ ମୋହର ମରାଯାଇଛି । ବୈଠକ ପୂର୍ବରୁ ପ୍ରକଳ୍ପର ନକ୍ସା ମହାପ୍ରଭୁଙ୍କୁ ଲାଗି କରାଯାଇଛି ।ତେବେ ଏହି ପ୍ରକଳ୍ପ କାର୍ଯ୍ୟ ଜୁନ୍ ୧ରୁ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର । ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପ ପାଇଁ ୮୭ ପ୍ରତିଶତ ଜମି ଅଧିଗ୍ରହଣ ସରିଥିବାବେଳେ ଏ ବାବଦକୁ ୨୮୯.୩୪ କୋଟି ଟଙ୍କାର କ୍ଷତିପୂରଣ ଦିଆ ସରିଥିବା ଶ୍ରୀ କୁମାର କହିଛନ୍ତି ।
ରାଜ୍ୟ ସରକାର ପୁରୀକୁ ବିଶ୍ବ ଐତିହ୍ୟ ସହର ରୂପେ ଗଢ଼ି ତୋଳିବା ଲକ୍ଷ୍ୟ ନେଇ ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । ଅବଢ଼ାରେ ଶ୍ରୀକ୍ଷେତ୍ର ପୁରୀରେ ୨୨ଟି ନୂଆ ପ୍ରକଳ୍ପ ପାଇଁ ୩୨ ଶହ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ଐତିହ୍ୟ କରିଡର ଏହା ମଧ୍ୟରେ ପ୍ରମୁଖ ପ୍ରକଳ୍ପ ହୋଇଥିବାବେଳେ ସର୍ବାଧିକ ୮ଶହ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୬୫.୫ କୋଟି ଟଙ୍କା ଓ ଦ୍ବିତୀୟ ପର୍ଯ୍ୟାୟରେ ୪୯୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ କୁମାର କହିଛନ୍ତି, ଶ୍ରୀମନ୍ଦିର ହେରିଟେଜ୍ କରିଡରର ନିର୍ମାଣ ଶୈଳୀ, ସୁରକ୍ଷା, ବର୍ଜ୍ୟବସ୍ତୁ ପରିଚାଳନା, ମୌଳିକ ସୁବିଧା ଆଦି ଉପରେ ୩ ଶହରୁ ଅଧିକ ମତାମତ ଆସିଥିବାବେଳେ ଆଜି ସୁଦ୍ଧା ୫୧ ଥର ବୈଠକ ବସି ସାରିଛି । ଆଜିର ପରିଚାଳନା କମିଟି ବୈଠକ ପରେ ଏହି ପ୍ରକଳ୍ପ ଚୂଡ଼ାନ୍ତ ରୂପ ନେବାକୁ ଯାଉଛି । ଏହା ଭିତରେ ଜମି ଅଧିଗ୍ରହଣ ବାବଦକୁ ୧୧୫ ପରିବାର, ୫୧୨ ଦୋକାନ ଓ ୨୪ଟି ଲଜ୍କୁ ୨୩୪.୧୮ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ ସରିଲାଣି । ସେହିଭଳି ୧୮ଟି ମଠରୁ ୧୫ଟି ମଠକୁ ୩୬.୨୬ କୋଟି ଟଙ୍କା, ୫୨୬ଟି ଉଠା ଦୋକାନୀଙ୍କୁ ୯.୧ କୋଟି ଟଙ୍କା ପ୍ରଦାନ ସରିଲାଣି ।