ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ତେବେ ଏହି ଘଟଣା ଏବେ ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି । ତେବେ ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ କୋଟିଆର ସମସ୍ତ ଦସ୍ତାବିଜକୁ ପ୍ରସ୍ତୁତ କରିବା ପାଇଁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ୧୯ ତାରିଖ ଶୁକ୍ରବାର ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେବେ ଆଜି ଏହି ସମ୍ଵନ୍ଧରେ ଆଲୋଚନା କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ହେବାକୁ ଥିବା ଏହି ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ, ଅତିରିକ୍ତ ସଚିବ, ଆଇନ ବିଭାଗର ସଚିବ, କୋରାପୁଟ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ଅଂଶଗ୍ରହଣ କରିବେ ।
ସୀମାବର୍ତ୍ତୀ କୋଟିଆ ପଞ୍ଚାୟତର ଗଂଜାଲାଇପଦର, ଫାଟୁସିନେରୀ ଓ ଫାଗୁନାସିନେରୀ ଗାଁରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଦସ୍ତାବିଜ ପ୍ରସ୍ତୁତ କରିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ତଥ୍ୟ ସହ ମାମଲା ଲଢ଼ୁଥିବା ଓକିଲଙ୍କ ଉପସ୍ଥିତିରେ ଏହି ଆଲୋଚନା କରିବାକୁ ଏଥିରେ କୁହାଯାଇଛି ।