ସନଷ୍ଟାର ଟିଭି ବ୍ୟୁରୋ
ସାରା ବିଶ୍ୱ 14 ଫେବୃଆରୀକୁ ପ୍ରେମ ଦିବସ ଭାବେ ପାଳନ କରୁଥିବା ବେଳେ ଭାରତ କିନ୍ତୁ ପାଳିଥାଏ ବ୍ଲାକ୍ ଡେ । ଏହି ଦିନ ପ୍ରତ୍ୟେକ ଭାରତୀୟ ମନେ ପକାଇଥାନ୍ତି ଏକ ଦୁଃଖଦ ଘଟଣା । ଆଜିର ଦିନରେ ଭାରତ ତାର 40 ବୀର ଯବାନମାନଙ୍କୁ ହରାଇଥିଲା । ରଣଭୂମିରେ କି ଯୁଦ୍ଧରେ ବୀର ଯବାନମାନେ ସହୀଦ ହୋଇଥିଲେ ଭାରତୀୟମାନେ ଗର୍ବ ଅନୁଭବ କରିଥାନ୍ତି । କିନ୍ତୁ ଆତଙ୍କବାଦୀମାନେ ଧୋକାରେ ମାରିଥିଲେ ଏହି ବୀର ଯବାନମାନଙ୍କୁ । ଯେଉଁଥିପାଇଁ ସମସ୍ତଙ୍କ ଦୃଦୟରେ ଲାଗିଥିଲା ଗଭୀର ଆଘାତ ।
ଘଟଣାଟି ଘଟିଥିଲା ଫେବୃଆରୀ 14, 2019 ମସିହାରେ ଜାମ୍ମୁ କାଶ୍ମୀର ପୁଲଓ୍ୱାମା ଜିଲ୍ଲାରେ । ଗୋଟିଏ ବସ୍ ରେ 40 ଜଣ ସିଆରପିଏଫ୍ ଯବାନ ଯାଉଥିବା ବେଳେ ହଠାତ୍ ଆଉ ଏକ ବସ୍ ଆସି ସେହି ବସ୍ କୁ ଧକ୍କା ଦେଇଥିଲା । କେହି କିଛି ଭାବିବା ପୂର୍ବରୁ ହଠାତ୍ ବସଟି ବିସ୍ଫୋରଣ ହୋଇଥିଲା । ଓ ବସରେ ଥିବା ଯବାନଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ଓ କିଛି ଜଣ ଯବାନ ଗଭୀର ଆହତ ହୋଇଥିଲେ ।
ତେବେ ସେହି ବସ୍ ଧକ୍କା ହେବା କୌଣସି ଆକସ୍ମିକ ଘଟଣା ନଥିଲା । ସେହି କାମ ଥିଲା ଜୈଶ- ଏ- ମୋହମ୍ମଦ ଆତଙ୍କୀ ସଂଗଠନର । ବିସ୍ଫୋରଣ ବୋଝେଇ ବସ୍ ନେଇ ସିଆରପିଏଫ୍ ବସକୁ ଧକ୍କା ଦେବା ଥିଲା ଏକ ସୁପରିକଳ୍ପିତ ଯୋଜନା । ତେବେ ଘଟଣାରେ ସପୃକ୍ତ ଥିବା 6 ଜଣ ଆତଙ୍କବାଦୀ ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ।
ଏହି ଘଟଣାର ତଦନ୍ତ କରିଥିଲେ ରାଷ୍ଟ୍ରିୟ ଯାଞ୍ଚ ଏଜେନ୍ସି (NIA) । ଏନଆଇଏ ଏହି ଘଟଣାକୁ ନେଇ ଅଗଷ୍ଟ ମାସରେ 13,500 ପୃଷ୍ଟାର ଏକ ଚାର୍ଜ ସିଟ୍ ଦାଖଲ କରିଥିଲେ ।ଯେଉଁଥିରେ 19 ଦୋଷୀଙ୍କ ନାମ ସାମିଲ ଥିଲା ଓ ସେମାନଙ୍କ ମଧ୍ୟରୁ 6 ଜଣଙ୍କ ମୃତ୍ୟୁ ହୋଇଥିଲା ।ଏହି ଘଟଣାରେ ଜୈଶ- ଏ- ମୋହମ୍ମଦ ଆତଙ୍କୀ ସଂଗଠନ ସହିତ ସାମିଲ ଥିଲେ ଆଇସିଆଇ ଓ ପାକିସ୍ତାନ ସରକାରୀ ଏଜେନ୍ସି ।
ତେବେ ମାତ୍ର 12 ଦିନରେ ଏହାର ପ୍ରତିଶୋଧ ନେଇଥିଲେ ଭାରତୀୟ ସେନା ।ଯାହା ସର୍ଜିକାଲ ଷ୍ଟ୍ରାଇକ୍ ନାମରେ ପରିଚିତ । ପାକିସ୍ତାନ ସୀମା ମଧ୍ୟରେ ପ୍ରବେଶ କରି ବାଲାକୋଟ ଠାରେ ଜୈଶ୍ କ୍ୟାମ୍ପ ଉପରେ ହାମଲା କରିଥିଲେ ।ଓ କ୍ୟାମ୍ପରେ ଥିବା ଆତଙ୍କବାଦୀଙ୍କୁ ହତ୍ୟା କରି ବାୟୁସେନା ଫେରି ଆସିଥିଲା ନିଜ ମାଟିକୁ ।
ତେବେ ଏହି ଘଟଣାକୁ ଦୁଇ ବର୍ଷ ପୁରି ଯାଇଥିଲେ ମଧ୍ୟ ଆଜି ବି ଭୁଲି ନାହିଁ ଭାରତ ସେହି ଲୋମହର୍ଷଣକାରୀ ଘଟଣାକୁ ଓ ଖଣ୍ଡ ବିଖଣ୍ଡିତ ହୋଇ ଭୁଇଁରେ ପଡିଥିବା ବୀର ଯବାନମାନଙ୍କ ଶରୀରକୁ ।