ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫ୍ୟାମିଲି ପେନସନ୍ କ୍ଷେତ୍ରରେ ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବରୁ ଏହି ପେନସନ୍ର ସର୍ବାଧିକ ସୀମା ୪୫ ହଜାର ଥିବା ବେଳେ ଏବେ ଏହାକୁ ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବର୍ଦ୍ଧିତ କରିବାକୁ ଘୋଷଣା କରିଛନ୍ତି । ତେବେ ଏ ଗତକାଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ । ସେ କହିଛନ୍ତି, ଏହି ପଦକ୍ଷେପ ଫଳରେ ସ୍ଵର୍ଗତଃ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ଜୀବନ ଧାରଣ ସହଜ ହେବା ସହିତ ସେମାନଙ୍କୁ ଯଥେଷ୍ଟ ଆର୍ଥିକ ସାହାଯ୍ୟ ମିଳିପାରିବ ।
ମନ୍ତ୍ରୀ ଆହୁରି କହିଥିଲେ ଯେ, ମାତାପିତାଙ୍କ ମୃତ୍ୟୁ ପରେ ଯଦି ସେମାନଙ୍କର ସନ୍ତାନ ଫ୍ୟାମିଲି ପେନସନର ଦୁଇଟି କିସ୍ତି ଉଠାଇବା ଲାଗି ଅଧିକୃତ ହୋଇଥାନ୍ତି, ସେହି ଅର୍ଥରାଶିର ପରିମାଣ ସମ୍ପର୍କରେ ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। ଡ. ସିଂହ କହିଛନ୍ତି ଯେ, ଏବେ ଏହି ଦୁଇଟି କିସ୍ତିର ମୋଟ ଅର୍ଥରାଶି ୧,୨୫,୦୦୦ ଟଙ୍କାରୁ ଅଧିକ ହେବ ନାହିଁ ।
ବର୍ତ୍ତମାନ ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁସାରେ ସର୍ବାଧିକ ବେତନ ବୃଦ୍ଧି ପାଇଁ ମାସିକ ୨,୫୦,୦୦୦ଟଙ୍କା ହୋଇସାରିଛି । ତେଣୁ କେନ୍ଦ୍ରୀୟ ପ୍ରଶାସନିକ ସେବା ପେନସନ ନିୟମ ୫୪(୧୧) ଅନୁସାରେ ଏହି ଅର୍ଥରାଶି ୨,୫୦,୦୦୦ ଟଙ୍କାର ୫୦ ପ୍ରତିଶତ ଅର୍ଥାତ ୧,୨୫,୦୦୦ ଟଙ୍କା ଏବଂ ୨,୫୦,୦୦୦ ଟଙ୍କାର ୩୦ପ୍ରତିଶତ ଅର୍ଥାତ୍ ୭୫,୦୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି ।
ବର୍ତ୍ତମାନର ନିୟମ ଅନୁଯାୟୀ ଯଦି କୌଣସି ସନ୍ତାନଙ୍କ ମାତା-ପିତା ସରକାରୀ ଚାକିରିରେ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣଙ୍କର ଚାକିରି କାଳରେ ମୃତ୍ୟୁ ହୋଇସାରିଛି କିମ୍ବା ସେ ଅବସର ଗ୍ରହଣ କରିସାରିଛନ୍ତି ତେବେ ମୃତ ବ୍ୟକ୍ତିଙ୍କର ଫ୍ୟାମିଲି ପେନସନ ତାଙ୍କର ଜୀବିତ ସାଥୀଙ୍କୁ ଦିଆଯିବ । ଆହୁରି ଯଦି ମାତା ପିତା ଦୁଇ ଜଣଙ୍କର ମୃତ୍ୟୁ ଘଟେ ତେବେ ତାଙ୍କ ସନ୍ତାନ ନିଜର ଯୋଗ୍ୟତା ସାବ୍ୟସ୍ତ କରିବା ପରେ ପେନସନ ଦିଆଯିବ ।