ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜିଠାରୁ ସର୍ବସାଧାରଣ ନିମନ୍ତେ ଖୋଲିବାକୁ ଯାଉଛି ରାଷ୍ଟ୍ରପତି ଭବନ ପରିସରରେ ଥିବା ସୌନ୍ଦର୍ଯ୍ୟଭରା ମୋଗଲ୍ ବାଟିକା । ପର୍ଯ୍ୟଟକମାନେ ଫେବୃୟାରୀ ୧୩ ତାରିଖରୁ ମାର୍ଚ ୨୧ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବ ଏହି ପୁଷ୍ପବାଟିକା । କିନ୍ତୁ ରକ୍ଷଣାବେକ୍ଷଣ ନିମନ୍ତେ ପ୍ରତି ସୋମବାର ଦିନ ଉଦ୍ୟାନ ବନ୍ଦ ରହିବ ବୋଲି ରାଷ୍ଟ୍ରପତି ଭବନରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ତେବେ କୋଭିଡ୍-୧୯ ମହାମାରୀ ଯୋଗୁଁ ଏ ବର୍ଷ କେବଳ ଅନ୍ଲାଇନ୍ ବୁକିଙ୍ଗ୍ ଆଧାରରେ ବାଟିକା ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ମିଳିବ। ପୂର୍ବବର୍ଷମାନଙ୍କ ଭଳି ‘ଓ୍ଵାକ୍-ଇନ୍-ଏଣ୍ଟ୍ରି’ ଏବର୍ଷ ନିଷେଧ କରାଯାଇଛି। ୭ ଘଣ୍ଟିଆ ସ୍ଲଟ୍ରେ ଏହି ଅନ୍ଲାଇନ୍ ବୁକିଙ୍ଗ୍ କରାଯିବ ଏବଂ ପ୍ରତି ସ୍ଲଟ୍ରେ ରହିବେ ୧୦୦ ଜଣ ଦର୍ଶକ । https//rastrapatisachivalaya.gov.in or https//rb.nic.in/rbvisit/visit_plan.aspx. ଓ୍ଵେବସାଇଟ ଜରିଆରେ ଟିକେଟ ବୁକ୍ କରିପାରିବେ ।
ରାଷ୍ଟ୍ରପତିଙ୍କ ଗଣମାଧ୍ୟମ ଉପସଚିବ କୀର୍ତ୍ତି ତିଓ୍ଵାରୀ କହିଛନ୍ତି ଯେ, ଉଦ୍ୟାନ ମଧ୍ୟରେ ଦର୍ଶକମାନଙ୍କ ଯାତାୟାତ ପଥରେ ପିଇବା ପାଣି, ଶୌଚାଳୟ ଏବଂ ପ୍ରାଥମିକ ଚିକିତ୍ସା ଆଦି ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ଇଷ୍ଟେଟ୍ର ୩୫ ନମ୍ବର ଫାଟକ ମଧ୍ୟରେ ଦେଇ ଅନ୍ଲାଇନ୍ ଦର୍ଶକମାନେ ପ୍ରବେଶ ଓ ପ୍ରସ୍ଥାନ କରି ପାରିବେ । ଏଠାରେ ଉତ୍ତର ଆଭେନ୍ୟୁ ରାଷ୍ଟ୍ରପତି ଭବନ ସହ ମିଶିଛି । ତେବେ ପରିଦର୍ଶକମାନଙ୍କୁ ନିଜ ସାଥିରେ ପାଣି ବୋତଲ, ପର୍ସ, ହ୍ୟାଣ୍ଟବ୍ୟାଗ୍, କ୍ୟାମେରା, ଛତା ଭଳି ଉପକରଣ ଆଣିବାକୁ ମନା କରାଯାଇଛି ।