ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : କୋଟିଆ ମାମଲାରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ।ଏହି ମାମଲାରେ ଆନ୍ଧ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଓଡିଶା ସରକାରଙ୍କ ଦ୍ଵାରା କୋଟିଆରେ ଅନୁପ୍ରବେଶ ସଂକ୍ରାନ୍ତରେ ଆନ୍ଧ୍ର ସରକାରଙ୍କ ବିରୋଧରେ ଦାଖଲ କରାଯାଇଥିବା ଅଦାଲତ ଅବମାନନା ମାମଲାର ତ୍ବରିତ ଶୁଣାଣି କରି ସୁପ୍ରିମକୋର୍ଟ ପ୍ରତିପକ୍ଷ ଆନ୍ଧ୍ର ପ୍ରଦେଶକୁ ନୋଟିସ୍ ଜାରି କରିଛନ୍ତି । ଆସନ୍ତା ଶୁକ୍ରବାର ଏନେଇ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ତେବେ ଜଷ୍ଟିସ୍ ଏ ଏନ୍ ଖାନଵଲିକର ଓ ଜଷ୍ଟିସ୍ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି । ଓଡ଼ିଶା ପକ୍ଷରୁ ଏହି ମାମଲାରେ ନିୟୋଜିତ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାର ପତି ଜଷ୍ଟିସ୍ ଏସ୍ଏ ବୋବଡେ, ଜଷ୍ଟିସ୍ ଏ.ଏସ୍.ବୋପାନ୍ନା ଓ ଜଷ୍ଟିସ ଭି. ରମା ସୁବ୍ରମନ୍ୟନଙ୍କ ଖଣ୍ଡପୀଠରେ ନିବେଦନ କରିଥିଲେ ।
ଶ୍ରୀ ସିଂହ ଯୁକ୍ତି ଉପସ୍ଥାପନ କରି କହିଥିଲେ, କୋଟିଆ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସର୍ବୋଚ୍ଚ ନ୍ୟାୟ୍ୟାଳୟ ୨୦୦୬ରେ ଆନ୍ଧ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଆନ୍ଧ୍ର ସରକାର ଏହାକୁ ପାଳନ କରିନାହାନ୍ତି । ନିର୍ଦ୍ଦେଶକୁ ଉଲଂଘନ କରି ଆନ୍ଧ୍ର ସରକାର କୋଟିଆକୁ ନିଜର ସୀମା ମଧ୍ୟରେ ଦର୍ଶାଇ ପଞ୍ଚାୟତ ନିର୍ବାଚନ କରାଉଛି । ଆନ୍ଧ୍ରର ଏଭଳି ଏକତରଫା ଆଚରଣ ଦ୍ବାରା ଗୁରୁତର ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି । ତେବେ ଏହି ଅଦାଲତ ଅବମାନନା ମାମଲାର ତ୍ବରିତ ଶୁଣାଣି କରାଯାଉ ।ଏହାପରେ ଖଣ୍ଡପୀଠ ଏହି ମାମଲାର ଶୁଣାଣି ପାଇଁ ରାଜି ହୋଇଥିଲେ ।