ସନ୍ଷ୍ଟାର ଟିଭି ବ୍ୟୁରୋ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ନିର୍ମାଣ ହେବାକୁ ଯାଉଛି ଏକ ଅସାଧାରଣ ସଂଗ୍ରହାଳୟ । ମଧ୍ୟପ୍ରଦେଶର ଭିନ୍ଦ୍ସ୍ଥିତ ପୁଲିସ ମୁଖ୍ୟାଳୟରେ କୁଖ୍ୟାତ ଡାକୁମାନଙ୍କୁ ଆଧାର କରି ଏହି ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ ।ତେବେ ଏହି ସଂଗ୍ରହାଳୟରେ ଫୁଲନ୍ ଦେବୀ, ନିର୍ଭୟ ଗୁଜ୍ଜର୍ଙ୍କ ଭଳି ଡାକୁମାନଙ୍କ ବ୍ୟବହୃତ କେତେକ ସାମଗ୍ରୀ ସହ ବଲିଉଡ୍ ସିନେମା ‘ଚମ୍ବଲ୍ କେ ଡାକୁ’ ଚଳଚ୍ଚିତ୍ର ନିର୍ମାଣ ସମୟର ସ୍ଥିରଚିତ୍ର ଶୋଭା ପାଇବ ।
ଭିନ୍ଦ୍ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ମନୋଜ କୁମାରଙ୍କ ସୂଚନା ଅନୁସାରେ, ଡାକୁମାନଙ୍କୁ ପ୍ରଶଂସା କରିବା କିଂବା ସମ୍ମାନ ପ୍ରଦର୍ଶନ କରିବା ଏହି ସଂଗ୍ରହାଳୟର ଉଦ୍ଦେଶ୍ୟ ନୁହେଁ । ଏହାର ଉଦ୍ଦେଶ୍ୟ ହେଉଛି ସେମାନଙ୍କର ଅପରାଧକୁ ସୁସ୍ପଷ୍ଟ କରି ପ୍ରଦର୍ଶନ କରାଇବା ଏବଂ ସେମାନଙ୍କୁ ପ୍ରତିହତ କରିବାକୁ ପୁଲିସର ଆତ୍ମବଳି ଗୁରୁତ୍ୱ ଦେବା ।
ଏହି ସଂଗ୍ରହାଳୟର ଗତ ପାଞ୍ଚ ଦଶନ୍ଧି ଧରି ସଙ୍କଳିତ ହୋଇଥିବା ଅନ୍ୟୂନ ୨୦୦୦ ଡିଜିଟାଇଜ୍ଡ୍ ପୁଲିସ ରେକର୍ଡ ରହିବ । ଏଥିରେ ଡାକୁମାନେ କରିଥିବା ନରହତ୍ୟା, ଲୁଟ୍ ଏବଂ ଅପହରଣ ଆଦିର ରେକର୍ଡ ରହିଛି । ଏଥିସହ ଡକାୟତମାନଙ୍କ ସହ ଲଢ଼ି ସହିଦ ହୋଇଥିବା ୨୮ଜଣ ପୁଲିସ କର୍ମଚାରୀଙ୍କ ସହ ସାହସିକ ପୁରସ୍କାର ପ୍ରାପ୍ତ ଅନ୍ୟ ୩୦ଜଣ ପୁଲିସ ଓ ସାହସିକତା ପ୍ରଦର୍ଶନ କରି ପଦୋନ୍ନତି ପାଇଥିବା ଅନ୍ୟ ପୁଲିସ କର୍ମଚାରୀମାନଙ୍କ ଫଟୋ ମଧ୍ୟ ଏଠାରେ ରହିବ । ସଂଗ୍ରହାଳୟରେ ୪ଟି ସ୍ମାର୍ଟ ଟିଭି ଲଗାଯିବ ।ଏହି ସଂଗ୍ରହାଳୟକୁ ନିର୍ମାଣ କରିବାକୁ ପ୍ରାୟ ୨୬ଟି ଥାନାର ପୁଲିସ କର୍ମଚାରୀମାନେ ମିଳିତ ହୋଇ ୩ ଲକ୍ଷ ଟଙ୍କା ଆଦାୟ କରିଛନ୍ତି ।