ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ଭାରତ ବଜାରରେ ପ୍ରବେଶ କରିବ ସିଏନଜି ଟ୍ରାକ୍ଟର । ଏହାର ଶୁଭାରମ୍ଭ କରିବେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । କେନ୍ଦ୍ରମନ୍ତ୍ରୀ ନିଜ ବାସ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗାଡିକୁ ଉଦଘାଟନ କରିବେ । ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ରାଜ୍ୟମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଏବଂ କେନ୍ଦ୍ର ରାଜ୍ୟମନ୍ତ୍ରୀ ଜେନେରାଲ ବି.କେ ସିଂ ମଧ୍ୟ ଉପସ୍ଥିତି ରହିବେ ।
ଏହି ସିଏନଜି ଚାଳିତ ଟ୍ରାକ୍ଟର ଚଳାଚଳ ଦ୍ବାରା ଟ୍ରାକ୍ଟର ପିଛା ଇନ୍ଧନ ଖର୍ଚ୍ଚ ବାର୍ଷିକ ୧ ଲକ୍ଷ ଟଙ୍କା ଇନ୍ଧନ ହ୍ରାସ ପାଇବ । ରାୱମଟ ଟେକ୍ନୋ ସଲ୍ୟୁସନ ଓ ତୋମସେଟୋ ଆଚିଲ ଇଣ୍ଡିଆ ଦ୍ବାରା ଡିଜେଲ ଟ୍ରାକ୍ଟରଗୁଡିକୁ ସିଏନଜିରେ ପରିଣତ କରାଯାଇଛି । ଏହା ଦ୍ବାରା କୃଷିକାର୍ଯ୍ୟ ଉପରେ ଚାଷୀଙ୍କ ଖର୍ଚ୍ଚ ହ୍ରାସ ପାଇବ । ଗ୍ରାମୀଣ ଭାରତରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସିଏନଜି ଟ୍ରାକ୍ଟର ବ୍ୟବହାର ଦ୍ବାରା ସ୍ବଚ୍ଛ ଇନ୍ଧନ ବଢିବ । କାରଣ କାର୍ବନ ଓ ଅନ୍ୟ ପ୍ରଦୂଷକମାତ୍ରା ଅପେକ୍ଷା ଏଥିରେ କମ ରହିଛି । ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ମାତ୍ରା ହ୍ରାସ ପାଇବ । ଟ୍ରାକ୍ଟର ଇଞ୍ଜିନ ଅଧିକ ଦିନ ଧରି ପ୍ରଭାବିତ ରହିବ । ଏହା ଦ୍ବାରା ନିୟମିତ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ କମିବ ।
ଡିଜେଲ ଏବଂ ପେଟ୍ରୋଲ ଦ୍ବାରା ଚାଳିତ ଗାଡି ଅପେକ୍ଷା ସିଏନଜି ଯାନଗୁଡିକ ଅଧିକ ମାଇଲେଜ ଦେଖାଏ । ଏହା ଅତ୍ୟନ୍ତ ନିରାପଦ ମଧ୍ୟ , କାରଣ ସିଏନଜି ଯାନଗୁଡିକ ସିଲ ଟ୍ୟାଙ୍କ ସହିତ ଆସିଥାଏ । ଯାହା ଇନ୍ଧନ ଜଳିବା ସମୟରେ ବିସ୍ଫୋରଣର ସମ୍ଭାବନାକୁ କମ କରିଥାଏ । ଏହି ଯାନଗୁଡିକ ଚାଷୀଙ୍କ ଇନ୍ଧନ ମୂଲ୍ୟରେ ୫୦ ପ୍ରତିଶତ ସଞ୍ଚୟ କରିବାରେ ସାହାଯ୍ୟ କରିବ । କାରଣ ଡିଜେଲ ବର୍ତ୍ତମାନ ଲିଟର ପିଛା ୭୭.୪୩ ଟଙ୍କା ରହିଥିବାବେଳେ ସିଏନଜି ୪୪ ଟଙ୍କା ରହିଛି ।