ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ରବି ଋତୁରେ ଓଡିଶାରୁ ଉଷୁନା ଚାଉଳ କ୍ରୟ କରିବାକୁ ମନା କରିଥିଲେ ।ତେବେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସଭାରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ । ଓଡିଶାର ଦୁଇ ବିଜେଡି ସାଂସଦ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
କେନ୍ଦ୍ର ସରକାର ଓଡିଶାରୁ 2020-21 ରବି ଫସଲରେ କାହିଁକି ଉଷୁନା ଚାଉଳ କ୍ରୟ କରିବେ ନାହିଁ ଓ ଖରିଫ ଋତୁର କ୍ରୟକୁ କାହିଁକି 50 ପ୍ରତିଶତ କରିଛନ୍ତି ସେନେଇ ଦୁଇ ସାଂସଦ ପ୍ରଶ୍ନ କରିଛନ୍ତି । ସେହିପରି ଏନେଇ ଓଡିଶାର କେତେ କ୍ଷତି ହେବ କେନ୍ଦ୍ର ସରକାର ଆକଳନ କରିଛନ୍ତି କି ନାହିଁ ସେନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ । ଏହା ସହ ସରକାର 2020-21ରେ ଓଡିଶାରୁ 30 ଲକ୍ଷ ମେଟ୍ରିକ ଟନ ଧାନ କିଣିବାକୁ କି ପଦକ୍ଷେପ ନେଇଛନ୍ତି ସେନେଇ ମଧ୍ୟ ଲିଖିତ ପ୍ରଶ୍ନ କରିଛନ୍ତି ସାଂସଦ ।
ତେବେ ଏହାର ଉତ୍ତର କେନ୍ଦ୍ର ଖାଦ୍ୟ ଓ ଯୋଗାଣ ଏବଂ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଦିଆଯାଇଛି । ଏଫସିଆଇ(ଭାରତୀୟ ଖାଦ୍ୟ ନିଗମ) ପକ୍ଷରୁ 2020-21 ଖରିଫ ଋତୁରେ ସବୁ ଅତିରିକ୍ତ ଜିଲ୍ଲାରୁ ଉଷୁନା ଚାଉଳ କ୍ରୟ କରାଯାଉଛି । ଏହାସହ ଏନେଇ ଏଫସିଆଇ ପକ୍ଷରୁ ଆଞ୍ଚଳିକ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଉଷୁନା ଧାନ ଓ ଅରୁଆ ଧାନ କ୍ରୟ କରିବା ନେଇ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟସରକାରଙ୍କ ମଧ୍ୟରେ ବୁଝାମଣା ହୋଇଛି । ସେହି ଅନୁସାରେ ଧାନ କ୍ରୟ କରାଯାଉଛି । ତେବେ ଏମଓୟୁ ଅନୁସାରେ, ରାଜ୍ୟସରକାର କିଣିଥିବା ଅତିରିକ୍ତ ଧାନକୁ ଏଫସିଆଇ କିଣିବା ନେଇ ବିକଳ୍ପ ରହିଛି ।ସେହିପରି ରଖିବା ପାଇଁ ଉପଲବ୍ଧ ଖାଲି ସ୍ଥାନ ଉପରେ ଧ୍ୟାନ ଦେବା ପରେ ଓଡ଼ିଶା, ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଭଳି ରାଜ୍ୟରୁ ଉଷୁନା ଚାଉଳ କ୍ରୟର ସ୍ଥିର କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।