ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆନ୍ଧ୍ର ଓଡ଼ିଶା ସୀମା ବିବାଦ ବଢିବାରେ ଲାଗିଛି। ସୀମା ବିବାଦକୁ ନେଇ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର। କୋର୍ଟରେ ଲଢ଼େଇ ପାଇଁ ରଣନୀତି ସ୍ଥିର କରିବାକୁ ଆଜି ଏକ ବୈଠକ ବସୁଛି।
ଓଡିଶାର କିଛି ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ନିଜ ଆଧିପତ୍ୟ ଜାହିର କରୁଛି। କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଘୋଷଣାକୁ ସୁପ୍ରିମକୋର୍ଟରେ ଓଡ଼ିଶା ଚ୍ୟାଲେଞ୍ଜ କରିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ରଣନୀତି ସ୍ଥିର କରିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସିବ। ଏହାପରେ ଓଡ଼ିଶା ସରକାର ଆନ୍ଧ୍ରର ଅନୁପ୍ରବେଶ ଉପରେ ରୋକ୍ ଲଗାଇବାକୁ ଆବେଦନ କରିବେ।
ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ପରାମର୍ଶରେ ସରକାର ସୁପ୍ରିମକୋର୍ଟ ଯିବାକୁ ରଣନୀତି ସ୍ଥିର କରିଛନ୍ତି। ଆନ୍ଧ୍ର ନିର୍ବାଚନ କମିସନଙ୍କ ପକ୍ଷରୁ କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ପଟୁସିନେରୀ ଓ ଫଗୁଣସୁନେରୀ ଗାଁକୁ ପଞ୍ଚାୟତ ମାନ୍ୟତା ଦେଇ ନିର୍ବାଚନ କରିବାକୁ ଘୋଷଣା କରାଯାଇଛି।