ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଲଗାତାର ଶୀତର ପ୍ରକୋପ ବଢି ଚାଲିଛି। ଆସନ୍ତା ୨୪ ଘଣ୍ଟା ପରେ ଏହା ଅସହ୍ୟ ହେବ। ଆଭ୍ୟନ୍ତରୀଣ ଓଡିଶାରେ ପାରଦ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ। ଯାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୩ ଦିନ ପାଇଁ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଗତ ଦୁଇ ଦିନ ପଶ୍ଚିମା ପବନ ବୋହୁଥିବାରୁ ରାଜ୍ୟରେ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିଥିଲା। କିନ୍ତୁ ଏବେ ବାୟୁର ଦିଗ ପରିବର୍ତ୍ତନ ହୋଇଛି। ଆସନ୍ତା ୨୪ରେ ଥଣ୍ଡା ଉତ୍ତରା ବୋହିବ। ତେଣୁ ରାଜ୍ୟରେ କୋହଲା ପାଗ ରହିବା ସତ୍ତ୍ୱେ ତାପମାତ୍ରା ହ୍ରାସ ପାଇବ। ଆଭ୍ୟନ୍ତରୀଣ ଓଡିଶାରେ ପାରଦ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି। ସେଥିପାଇଁ ଆସନ୍ତାକାଲିଠୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶୀତର ପ୍ରକୋପ ରହିବ ବୋଲି ପୂର୍ବାନୁମାନ କରାଯାଉଛି।
ବିଶେଷକରି ଆଭ୍ୟନ୍ତରୀଣ ଅଞ୍ଚଳ ରେ ଶୀତର ପ୍ରକୋପ ଅଧିକ ରହିବ। ସୁନ୍ଦରଗଡ, ଝାରସୁଗୁଡା, ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, ଦେବଗଡ, ସମ୍ବଲପୁର, ଅନୁଗୁଳ, ବରଗଡ, ନୂଆପଡା, ବୌଦ୍ଧ, ବଲାଙ୍ଗିର, ସୁବର୍ଣ୍ଣପୁର, ବାଲେଶ୍ବର, ଭଦ୍ରକ, ନବରଙ୍ଗପୁର, କନ୍ଧମାଳ ରେ ୩ ଦିନ ଶୀତ ଲହରି ଜାରି ରହିବ। ତେଣୁ ସମ୍ପୃକ୍ତ ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡି ମଧ୍ୟ ପଡିପାରେ।
ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ଓ ରାଜଧାନୀ ଭୁବନେଶ୍ୱର ରେ ୧୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ତାପମାତ୍ରା ଯଦି ୪ ଡିଗ୍ରୀ କମେ ତେବେ ରାଜ୍ୟରେ କାଠୁଆ ଜାଡ ଅନୁଭବ ହେବ। ତେଣୁ ସତର୍କତା ଜାରି କରାଯାଇଥିବା ଜିଲ୍ଲାବାସୀଙ୍କୁ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ୧୦ ତାରିଖ ପରେ ପାଗ ପରିବର୍ତ୍ତନ ହେବ ଓ ତାପମାତ୍ରା ପୁଣି ବଢିପାରେ ବୋଲି ପାଣାପାଗ କେନ୍ଦ୍ର ଆକଳନ କରିଛି।