ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକାତା: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏହାସହ ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜୋରଦାର ହେବାରେ ଲାଗିଛି । ଏହି କ୍ରମରେ ଗୁରୁବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟି ଉପରେ କଡ଼ା ପ୍ରହାର କରିଛନ୍ତି । ସେ କହିଛନ୍ତି ଯେ, “ବିଜେପି ଟିଏମସିର କିଛି ବିଶ୍ୱାସଘାତକ (ଗଦ୍ଦାର) ଙ୍କ ସହ ମିଶି ବଙ୍ଗଳା ଜିତିବାର ସୂତ୍ର ବ୍ୟବହାର କରୁଛି ।”
ମମତା ଆହୁରି କହିଛନ୍ତି ଯେ, “ଯେଉଁମାନେ ବିଜେପିରେ ଯୋଗ ଦେଉଛନ୍ତି ସେମାନେ ମନେ ରଖିବା ଉଚିତ୍ ଯେ ସେମାନେ ଏକ ଦଙ୍ଗାକାରୀ ଦଳକୁ ଯାଉଛନ୍ତି । ମୁଁ କହିବାକୁ ଚାହେଁ ଯେ ଏମାନେ ସମସ୍ତେ ବେଆଇନ ଭାବେ ଆୟ କରିଥିବା ଟଙ୍କାକୁ ଓ ନିଜକୁ ସୁରକ୍ଷିତ କରିବା ପାଇଁ ଏଭଳି ପଦକ୍ଷେପ ନେଉଛନ୍ତି ।”
ଅନ୍ୟପକ୍ଷରେ ନିକଟରେ ବିଜେପି ଯାଇଥିବା ରାଜ୍ୟର ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ନାମ ନ ନେଇ ସେ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜଙ୍ଗଲ ବିଭାଗରେ ଜଙ୍ଗଲ ସହାୟକ ନିଯୁକ୍ତିରେ ବଡ଼ ଦୁର୍ନୀତି ହୋଇଛି । ଏଭଳି ଦୁର୍ନୀତିଗ୍ରସ୍ତ ନେତାମାନେ ବିଜେପିରେ ଯୋଗ ଦେଉଛନ୍ତି । ନିର୍ବାଚନ ପରେ ସେମାନଙ୍କ ଦୋକାନ ବନ୍ଦ ହୋଇଯିବ ।
ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ବିଜେପି ଟିକେଟ୍ ବିକ୍ରି କରୁଛି ବୋଲି ମମତା ଦାବି କରିଛନ୍ତି । ସେ କହିଛନ୍ତି ଯେ ବିଜେପି ତାଙ୍କ ଦଳର ଦାଗୀ ନେତାମାନଙ୍କୁ ନିଜ ଦଳରେ ସାମିଲ କରାଇ ୱାଶିଂ ମେସିନ୍ ପରି ସେମାନଙ୍କର ଦାଗ ଧୋଉଛି । ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି, ନିଶ୍ଚିତ ଭାବରେ ଚାଲିଯାଆନ୍ତୁ, ଦ୍ୱାର ଖୋଲା ଅଛି । ଯେଉଁମାନେ ଦଳରେ ଅଛନ୍ତି, ସେମାନେ ଶୃଙ୍ଖଳିତ ଭାବେ ଲଢିବେ ଏବଂ ଯେଉଁମାନେ ଦଳ ଛାଡିବେ ସେମାନଙ୍କୁ ପରାସ୍ତ କରାଯିବ । ବିଜେପି ଲୋଭୀ ଓ ଭୋଗୀଙ୍କୁ କିଣିପାରିବ, କିନ୍ତୁ ଉତ୍ସର୍ଗୀକୃତ କାର୍ଯ୍ୟକର୍ତ୍ତାଙ୍କୁ ନୁହେଁ ।
ସେ କହିଛନ୍ତି ଯେ ଲକଡାଉନ୍ ସମୟରେ ଅନେକ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହେଉଥିଲା । କିନ୍ତୁ କେନ୍ଦ୍ର ସରକାର ଟ୍ରେନ୍ ଭଡା କାହାକୁ ଦେଇନାହାଁନ୍ତି । କିନ୍ତୁ କିଛି ଚୋରଙ୍କୁ ଉଡ଼ାଇ ଦିଲ୍ଲୀ ନେବା ପାଇଁ ସେମାନଙ୍କ ପାଖରେ ବହୁତ ଟଙ୍କା ଥିଲା ।