ସନ୍ଷ୍ଟାର ଟିଭି ବ୍ୟୁରୋ
ସମ୍ଵଲପୁର: ସମ୍ଵଲପୁର ଭିମସାର ଶିକ୍ଷାନୁଷ୍ଠାନ କୁଳପତିଙ୍କ କ୍ଷମତାରେ ଲାଗିଲା ଅଙ୍କୁଶ । ଏହି ଅଙ୍କୁଶ ଲଗାଇଛନ୍ତି କୁଳାଧିପତି ବା ରାଜ୍ୟପାଳ ଗଣେଶୀ ଲାଲ୍ । କୁଳପତିଙ୍କ କ୍ଷମତାକୁ ସଙ୍କୁଚିତ କରିବା ସହ କୁଳାଧିପତିଙ୍କ ଅନୁମତି ବିନା କୌଣସି ନିଷ୍ପତି ନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏଥିସହିତ କାର୍ଯ୍ୟକାଳ ସରିବା ଯାଏଁ କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୁଳାଧିପତି । ନିଯୁକ୍ତି ଓ ପଦୋନ୍ନତି ଠାରୁ ଆରମ୍ଭ କରି ପ୍ରଶାସନିକ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ କୁଳପତି କୌଣସି ନିଷ୍ପତି ନେଇପାରିବେ ନାହିଁ ।
ଅଧ୍ୟାପକମାନଙ୍କ ପ୍ରତି ହୋଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିଷ୍ପତି ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମ୍ୟାନେଜମେଣ୍ଟ ବୋର୍ଡ ମିଟିଂକୁ ସପ୍ତାହ ମଧ୍ୟରେ କରିବାକୁ କୁହାଯାଇଛି ।ତେବେ ରାଜ୍ୟପାଳ ତଥା କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୂଚନା ମୁତାବକ ଭିମସାର କାର୍ଯ୍ୟରତ କିଛି ମହିଳା କର୍ମଚାରୀ କୁଳପତିଙ୍କ ବିରୋଧରେ ଆଣିଥିଲେ ସାଙ୍ଘାତିକ ଅଭିଯୋଗ । ଅଧ୍ୟାପିକାଙ୍କୁ କୂଳପତି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ସେପଟେ ଏହି ମାମଲାରେ କୂଳପତି କିନ୍ତୁ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ।