ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୌସେନା କ୍ଷେତ୍ରରେ ନିଜକୁ ଦୃଢ ତଥା ଆଧୁନିକୀକରଣ କରିବାକୁ ପାକିସ୍ତାନ, ଚୀନ ଠାରୁ କିଣିବାକୁ ଯାଉଛି ୪ଟି ଆଧୁନିକ ଯୁଦ୍ଧପୋତ ଓ ୮ଟି ବୁଡ଼ାଜାହାଜ । ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନ ନୌସେନା ମୁଖ୍ୟ । ପାକିସ୍ତାନ ନୌସେନା ପାଇଁ ଜାନୁଆରି ୨୯ ତାରିଖ ଦିନ ଚୀନ ଦ୍ୱିତୀୟ ଟାଇପ୍ ୦୫୪ ଏପି ବହୁମୁଖୀ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପକାରୀ ଯୁଦ୍ଧଜାହାଜ ନିର୍ମାଣ ଆରମ୍ଭ କରିଛି ।
ଏହି ହେଉଛି ଚାଇନା ପିପୁଲ୍ସ୍ ଲିବରେସନ୍ ଆର୍ମି ବା ପିଏଲଏ ନୌସେନାର ମେରୁଦଣ୍ଡ । ଚାଇନା ପାଖରେ ଏପରି ୩୦ଟି ଯୁଦ୍ଧପୋତ ରହିଛି । ଚୀନ ନୌସେନା ବିଶେଷଜ୍ଞମାନେ କହନ୍ତି, ଟାଇପ୍ ୦୫୪୧ ଉପରେ ଆଧାରିତ ଟାଇପ୍ ୦୫୪ ଏପି ହେଉଛି ବିକଶିତ ରାଡାର୍ ସିଷ୍ଟମ୍ ଏବଂ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପଣ ବ୍ୟବସ୍ଥା ଥିବା ସବୁଠୁ ଉନ୍ନତ ଯୁଦ୍ଧଜାହାଜ ।
ସୂଚନାଯୋଗ୍ୟ, ୨୦୧୭ରେ ପାକିସ୍ତାନ ନୌସେନା ୪ଟି ଟାଇପ୍ ୦୫୪ ଏପି ଯୁଦ୍ଧପୋତ ନିର୍ମାଣ କରିବା ଲାଗି ଚୀନ୍ ସହ ଚୁକ୍ତି କରିଥିଲା। ପରେ ଚୀନ ୨୦୨୦ ଅଗଷ୍ଟରେ ପ୍ରଥମ ଯୁଦ୍ଧପୋତର ନିର୍ମାଣ ଆରମ୍ଭ କରିଥିଲା । ତେବେ ଏହାସହ ଆଧୁନିକ ହେଲିକପ୍ଟର୍ ଏବଂ ଗଭୀର ଜଳରାଶି ମଧ୍ୟରେ ରହି ଯୁଦ୍ଧ କରିବା ଭଳି ବୁଡ଼ାଜାହାଜ ମଧ୍ୟ କିଣାଯିବ ବୋଲି ପାକିସ୍ତାନ କହିଛି ।
ଏହା ଦ୍ଵାରା ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ଓ ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କ ଆହୁରୀ ଦୃଢ ହେବ ବୋଲି କହିଛନ୍ତି ପାକିସ୍ତାନୀ ସେନା । ଭାରତ ସହିତ ଦୁଇ ଦେଶର ସୀମା ବିବାଦ ଲାଗି ରହିଛି । ଏହି ସମୟରେ ପାକିସ୍ତାନ ଓ ଚୀନ ମଧ୍ୟରେ ସଂପର୍କ ଭାରତ ପାଇଁ ବିପଦ ସୃଷ୍ଟି କରିପାରେ ।