ସନ୍ଷ୍ଟାର ଟିଭି ବ୍ୟୁରୋ
କୋରାପୁଟ: କୋଟିଆକୁ ହାତେଇବା ପାଇଁ ଆନ୍ଧ୍ର- ଓଡିଶା ମଧ୍ୟରେ ବିବାଦ ଲାଗି ରହିଛି । ତେବେ ଏଭଳି ପରିସ୍ଥିତିରେ ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆରେ ବିଭିନ୍ନ ପ୍ରକଳ୍ପକୁ ଉଦ୍ଘାଟନ କରିବାକୁ ଯାଉଛନ୍ତି । ଆଜି ଦିନ ୧୧ଟା ୪୫ରେ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଉଦ୍ଘାଟନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି ।
ଦେଓମାଳି ଛକରୁ କୋଟିଆ ପୂର୍ତ୍ତ ବିଭାଗ ରାସ୍ତା, କୋଟିଆରେ ନିର୍ମାଣ ହୋଇଥିବା ୧୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ, କ୍ଲଷ୍ଟର ଗୃହ, ସ୍କୁଲ ଗୃହ, ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଆଦିକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାକୁ ଆଖିରେ ରଖି ଗୁରୁବାର ଜିଲ୍ଲାପାଳଙ୍କ ସହିତ ଡିଆର୍ଡିଏ ପିଡ଼ି ପ୍ରବୀର କୁମାର ନାୟକ, ଉପଜିଲ୍ଲାପାଳ ଲଳିତ କୁମାର କହଁର, ଏପିଡି ମହେଶ୍ୱର ନାୟକ, ଡେପୁଟି କଲେକ୍ଟର ଅର୍ଚ୍ଚନା ଦାସ, ଜିଲ୍ଲା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରା, ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରା, ପଟ୍ଟାଙ୍ଗି ବିଡ଼ିଓ ମୋନାଲିସା ଦେବତା ପ୍ରମୁଖ କୋଟିଆ ଗସ୍ତ କରିଥିଲେ । ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ଫେରିଥିଲେ ।
ଏହି ସବୁ ପ୍ରକଳ୍ପର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କୋଟିଆର ବିକାଶ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଲୋକ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।