ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ କୃଷି ନିୟମ ବିରୁଦ୍ଧରେ ହଜାର ହଜାର କୃଷକ ଏକ ଟ୍ରାକ୍ଟର ରାଲି କରିଥିଲେ। କିନ୍ତୁ ଅଳ୍ପ ସମୟ ମଧ୍ୟରେ ଦିଲ୍ଲୀ ରାସ୍ତାରେ ବିଶୃଙ୍ଖଳା ବ୍ୟାପିଗଲା। ଏହି ହିଂସା ସହ ଜଡିତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟରେ ପ୍ରାୟ ପାଞ୍ଚଟି ପିଟିସନ ଦାଖଲ କରାଯାଇଛି। ଆଜି ସୁପ୍ରିମକୋର୍ଟରେ ସେହି ଦାଖଲ ହୋଇଥିବା ଜନସ୍ୱାର୍ଥ ମମଲା ଉପରେ ଶୁଣାଣି ହେବ। ମୁଖ୍ୟ ବିଚାରପତି ଏସ୍ଏ ବୋବଡେଙ୍କ ନେତୃତ୍ୱରେ ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଭି ରାମାସୁବ୍ରମଣ୍ୟାନଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିବେ।
ସୁପ୍ରିମକୋର୍ଟ ଦାଖଲ ହୋଇଥିବା ଏକ ପିଟିସନରେ କୁହାଯାଇଛି ଯେ, ଆନ୍ଦୋଳନକାରୀ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡର ତଦନ୍ତ ଦାୟିତ୍ୱ NIAକୁ ଦିଆଯାଉ। ଆଉ ସେହି ତଦନ୍ତ ଅଦାଲତଙ୍କ ତତ୍ୱାବଧାନରେ ହେବା ଉଚିତ। ଆଇନଜୀବୀ ଶଶାଙ୍କ ଶେଖର ଝା ଏବଂ ମଞ୍ଜୁ ଜେଟଲୀ ଶର୍ମାଙ୍କ ଦାଖଲ ପିଟିସନରେ ଲାଲକିଲ୍ଲା ଏବଂ ଜାତୀୟ ପତାକା ର ଅପମାନ ଉପରେ ଗୁରୁତ୍ୱ ଦେବାକୁ ଅପିଲ କରାଯାଇଛି।
ବିକ୍ଷୋଭକାରୀଙ୍କୁ ହିଂସା କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ବିରୋଧ ପ୍ରଦର୍ଶନ କରିବା ସହିତ ଅନ୍ୟମାନଙ୍କର ଅଧିକାରକୁ ମଧ୍ୟ ବିଚାର କରାଯିବା ଉଚିତ୍ ବୋଲି ପିଟିସନରେ ଦର୍ଶାଯାଇଛି। ଦିଲ୍ଲୀ ହିଂସା ମାମଲାରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି କିମ୍ବା ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳଙ୍କ ନେତୃତ୍ୱରେ ଏକ ନ୍ୟାୟିକ କମିଶନ ଗଠନ ପାଇଁ ନିର୍ଦ୍ଦେଶନାମା ଦେବାକୁ ମଧ୍ୟ ଆବେଦନ କରାଯାଇଥିଲା।
ଏହା ବ୍ୟତୀତ ଜାତୀୟ ପତାକା ଅପମାନ ପାଇଁ ଦାୟୀ ବ୍ୟକ୍ତି କିମ୍ବା ସଂଗଠନ ବିରୋଧରେ ଏତଲା ପାଇଁ ନିର୍ଦ୍ଦେଶ ଜାରି କରିବାକୁ ଆଡଭୋକେଟ୍ ବିଶାଲ ତିୱାରୀ, ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟ ଏକ ପିଟିସନରେ ହିଂସା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ଦ ଥିବା ଇଣ୍ଟରନେଟ ସେବା ଉପରେ ଧ୍ୟାନ ଦେବାକୁ କୋର୍ଟଙ୍କୁ ଅପିଲ କରାଯାଇଛି।