ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଫେବୃଆରୀ ୬ ତାରିଖରୁ ରାଜ୍ୟରେ କରୋନା ଆଗ ଧାଡିର ଯୋଦ୍ଧାମାନଙ୍କୁ ଦିଆଯିବ କୋଭିଡ ଟିକା । କରୋନା ମହାମାରୀ ସମୟରେ ନିଷ୍ଠାପର ଭାବେ ସାଧାରଣ ଜନତାଙ୍କ ଜୀବନ ବଞ୍ଚାଇବା ଲାଗି ପ୍ରୟାସ କରିଥିଲେ ଏହି ଯୋଦ୍ଧାମାନେ । ଆସନ୍ତା ୬ରୁ ସରପଞ୍ଚ, ସମିତିସଭ୍ୟପୁଲିସ, ପ୍ରତିରକ୍ଷା ବାହିନୀ, ରାଜସ୍ୱ ବିଭାଗ ଅଧିକାରୀମାନଙ୍କୁ ଟିକାକରଣ କରାଯିବ । ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଏମାନଙ୍କୁ ମଧ୍ୟ ସରକାରଙ୍କ ତରଫରୁ ମାଗଣା ଟିକା ଦିଆଯିବ । ଏଥିରେ ପ୍ରାୟ ୧ଲକ୍ଷ ୯୨ହଜାର ୪୩୭ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ତେବେ ଆଗଧାଡ଼ିର ଯୋଦ୍ଧାଙ୍କ ଟିକାକରଣ ପୂର୍ବରୁ ବ୍ୟାପକ ବ୍ୟବସ୍ଥା କରିବା ଲାଗି ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର, ସିଡିଏମ୍ଓ, କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍ ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ।
ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ସ୍ଵାସ୍ଥ୍ୟ ଅନୁଷ୍ଠାନକୁ ଛାଡି ଅନ୍ୟ ଟିକାକରଣ କେନ୍ଦ୍ରଗୁ଼ିକୁ ଚିହ୍ନଟ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବିକଳ୍ପ ଭ୍ୟାକ୍ସିନେଟରଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ତାଲିମ ପ୍ରଦାନ କରିବା ଲାଗି କୁହାଯାଇଛି । ଯେଉଁ କାର୍ଯ୍ୟାଳୟର କର୍ମଚାରୀ ଟିକା ନେବେ ସେହି ବିଭାଗର ଜଣେ କର୍ମଚାରୀଙ୍କୁ ନୋଡାଲ ଅଧିକାରୀ ଭାବେ ଚିହ୍ନଟ କରାଯିବ । ଫଳରେ ହିତାଧିକାରୀଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍ ଟିକା ସଂପର୍କରେ ସେ ସୂଚନା ଦେଇପାରିବେ । ଯେଉଁ ଭ୍ୟାକ୍ସିନେଟରମାନେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦେବେ ସେମାନଙ୍କୁ ପ୍ରତ୍ୟେକ ଦିନ ୫ଶହ ଟଙ୍କା ଦିଆଯିବ । ଏପରିକି ଯେଉଁ ସରକାରୀ କର୍ମଚାରୀ ନିଜ ଛୁଟି ଦିନରେ ଏଥିରେ ସାମିଲ ହେବେ ସେମାନଙ୍କୁ ମଧ୍ୟ ଏହା ପ୍ରଦାନ କରାଯିବ । ତେବେ ଭ୍ୟାକ୍ସିନେଟରମାନଙ୍କୁ କୌଣସି ଗମନାଗମନ ଭତ୍ତା(ଟିଏ) ପ୍ରଦାନ କରାଯିବ ନାହିଁ । ଆଜିଠାରୁ ଜିଲ୍ଲାମାନଙ୍କୁ ଟିକା ପଠାଯିବା କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତାକାଲି ସୁଦ୍ଧା ଏସବୁର ମାଇକ୍ରୋ ପ୍ଲାନିଂ କରି ପରିବାର କଲ୍ୟାଣ ନିର୍ଦେଶକଙ୍କୁ ପ୍ରଦାନ କରିବା ଲାଗି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦେଶ ଦେଇଛନ୍ତି ।