ସନ୍ଷ୍ଟାର ଟିଭି ବ୍ୟୁରୋ
ଅନୁଗୁଳରେ ବିଶ୍ଵର ସର୍ବ ବୃହତ୍ ଇସ୍ପାତ କାରଖାନା ତିଆରି ହେବାକୁ ଯାଉଛି । ଓଡ଼ିଶା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ଵର ଲିମିଟେଡ୍ର ଭିଜନ ୨୦୩୦ ଅନୁଯାୟୀ, ୧.୨ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ କରି ଜେଏସ୍ପିଏଲ୍ର ପ୍ରତିଷ୍ଠା କରିବ ଏହି କାରଖାନା । ଏନେଇ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ ପାୱାର୍ ଲିଃ (ଜେଏସ୍ପିଏଲ୍) ଅଧ୍ୟକ୍ଷ ନବୀନ ଜିନ୍ଦଲ କମ୍ପାନୀର ଭିଜନ୍ ୨୦୩୦ ଉପସ୍ଥାପନ କରିଛନ୍ତି । ଅନଲାଇନରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ଇସ୍ପାତ ଓ ଖଣି ମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, ମୂଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅନ୍ୟାନ୍ୟ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ ।
ଅନୁଗୁଳରେ ଥିବା ଜେଏସ୍ପିଏଲ୍ର ବାର୍ଷିକ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନ୍କୁ ବୃଦ୍ଧି କରାଯିବ । ହାଇଡ୍ରୋଜେନ ଆଧାରିତ ଡି.ଆର୍.ଆଇ ଓ ଇ.ଏ.ଏଫ୍ ମାର୍ଗ ଜ୍ଞାନକୌଶଳ ବ୍ୟବହାର କରାଯାଇ ଇସ୍ପାତ ଉତ୍ପାଦନ ଜ୍ଞାନକୌଶଳ ପାଇଁ ଏହା ବିଶ୍ୱର ସର୍ବାଧିକ ପରିବେଶ ଅନୁକୁଳ ଇସ୍ପାତ କାରଖାନା ହେବ ।
ଏହାଦ୍ୱାରା ଓଡ଼ିଶାରେ ୬୦,୦୦୦ରୁ ଅଧିକ ପ୍ରତ୍ୟକ୍ଷ ଓ ୩,୦୦,୦୦୦ରୁ ଅଧିକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଜେଏସ୍ପିଏଲ୍ ନିଜସ୍ୱ ଆୟ ଓ ଇକ୍ୱିଟୀ ମାଧ୍ୟମରେ ଏହି ପୁଞିନିବେଶର ଲକ୍ଷ୍ୟ ହାସଲ କରିବ । ଏହାଦ୍ୱାରା ରାଜ୍ୟରେ ବାର୍ଷିକ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ କାରବାର ଏବଂ ରାଜ୍ୟ କୋଷାଗାରକୁ ୭୫୦୦ କୋଟି ଟଙ୍କାର ରାଜସ୍ୱ ମିଳିବାର ସମ୍ଭାବନା ରହିଛି । ଏହା ସହ ବାର୍ଷିକ ୧୨.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ପରିବେଶ ଉପଯୋଗୀ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିବ ଜିନ୍ଦଲ ।