ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଆଜି ପୌଷ ପୂର୍ଣ୍ଣିମାରେ ସେବାୟତଙ୍କ ମଧ୍ୟରେ କଳହ ପାଇଁ ବିଳମ୍ଵ ହୋଇଛି ମହାପ୍ରଭୁଙ୍କ ସୁନା ବେଶ । ସିଂହାରୀ ଓ ମେକାପ ସେବାୟତଙ୍କ ମଧ୍ୟ ବିବାଦ କାରଣରୁ ୫ ଘଣ୍ଟା ବିଳମ୍ଵରେ ହୋଇଛି ଭଗବାନଙ୍କ ସୁନା ବେଶ ଅନୁଷ୍ଠିତ ହୋଇଛି । ନୀତି ବିଳମ୍ବ ଯୋଗୁଁ ଭକ୍ତଙ୍କୁ ମହାପ୍ରସାଦ ମିଳିନଥିବା ସୂଚନା ମିଳିଛି । ତେବେ ପରସ୍ପର ମଧ୍ୟରେ ବୁଝାମଣା ପରେ ଆରମ୍ଭ ହୋଇଥିଲା ସୁନାବେଶ ।
ତେବେ ପରମ୍ପରା ଅନୁସାରେ ପୌଷ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଭକ୍ତମାନଙ୍କୁ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେଇଥାନ୍ତି । ଚନ୍ଦନ ଲାଗି ପରେ ୧୦୮ ଗରା ଜଳରେ ଶ୍ରୀଜିଉଙ୍କୁ ଅଭିଷେକ କରାଯାଏ । ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା’ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିଥାନ୍ତି । ସେଠାରେ ମାଜଣା ଓ ବନକଲାଗି ଆଦି ନୀତି ପରେ ଶ୍ରୀଦେବୀଙ୍କୁ ବେଶ ମଧ୍ୟ କରାଯାଏ । ପରେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ସୁନାବେଶ ଅନୁଷ୍ଠିତ ହୁଏ। ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ, ସେବତୀମାଳ, ଆଡ଼କାନି, ଚନ୍ଦ୍ର ଓ ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ୍ଣ ଅଳଙ୍କରରେ ସଜ୍ଜିତ ହୋଇ ଶ୍ରୀଜିଉ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି ।
ଏହାସହ ଗଜପତିଙ୍କ ଶ୍ରୀନଅରରେ ନୂତନ ମୁଦିରସ୍ତଙ୍କ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହୋଇଯାଇଛି । ନୂତନ ମୁଦିରସ୍ତ ଭାବରେ ନାରାୟଣ ମୁଦିରସ୍ତ ଶାଢ଼ୀ ବନ୍ଧାଇଥିଲେ। ଗଜପତି ମହାରାଜାଙ୍କ ଦ୍ୱାରା ଶାଢ଼ୀ ବନ୍ଧା ନୀତି ସମ୍ପୂର୍ଣ୍ଣ ହୋଇଥିଲା । ରାଜଗୁରୁଙ୍କ ଦ୍ୱାରା ଏହି ସମସ୍ତ ନୀତି କରାଯାଇଥିଲା । ପୌଷପୂର୍ଣ୍ଣିମା ଅବସରରେ ଶାଢ଼ୀ ବନ୍ଧା ନୀତି କରାଯାଇଛି।