ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ କରାଇବା ନିମନ୍ତେ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ମାଟ୍ରିକ ଟେଷ୍ଟପେପର ‘ପରୀକ୍ଷା ଦର୍ପଣ’ । ତେବେ ଆଜି ଏହାର ଉନ୍ମୋଚନ ହୋଇଛି । ଏହି ଅବସରରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ ବହୁତ ଦିନ ପରେ ସ୍କୁଲ ଖୋଲିଛି ସେଥିପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକ ସମସ୍ତଙ୍କ ମନରେ ଖୁସି । ଚଳିତ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ହିଁ ସ୍କୁଲ ବନ୍ଦ କରି ଦିଆଯାଇଥିଲା । ଆମକୁ ଏକ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା । ପିଲାଙ୍କର ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଇ ସେତେବେଳେ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କୋରୋନା ମହାମାରୀ ଆମ ଶିକ୍ଷା ବ୍ୟବସ୍ଥାକୁ ସବୁଠାରୁ ଅଧିକ ପ୍ରଭାବିତ କରିଛି । ବର୍ତ୍ତମାନ ରାଜ୍ୟରେ କୋରୋନାର ପ୍ରଭାବ ହ୍ରାସ ପାଉଛି । ତେଣୁ ରାଜ୍ୟର ଦଶମ ଓ ଦ୍ଵାଦଶ ଶ୍ରେଣୀର ପିଲାଙ୍କୁ ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲାଯାଇଛି । କୋଭିଡ଼ ନିୟମ ମାନି ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଖୁସିର କଥା । କାରଣ ଶ୍ରେଣୀ ଗୃହ ଶିକ୍ଷାର ବିକଳ୍ପ ନାହିଁ ବୋଲି ନବୀନ କହିଛନ୍ତି।
ସେ ଏହା ମଧ୍ୟ କହିଛନ୍ତି, ଚଳିତ ଶିକ୍ଷାବର୍ଷରେ ଆମର ଛାତ୍ରଛାତ୍ରୀମାନଙ୍କର ଯେଉଁ କ୍ଷତି ହୋଇଛି ତାକୁ ଭରଣା କରିବା ସହକ ନୁହେଁ । ତଥାପି ଛାତ୍ରଛାତ୍ରୀମାନେ ଯେଭଳି ବୋର୍ଡ ପରୀକ୍ଷାକୁ ଦୃଢ଼ ଆତ୍ମବିଶ୍ବାସ ସହିତ ଦେଇପାରିବେ, ସେଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ଏକ ଅଂଶସ୍ବରୂପ ପାଠ୍ୟକ୍ରମର ବିଭିନ୍ନ ବିଷୟର ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତର ସମ୍ବଳିତ ଏକ ସହାୟକ ପୁସ୍ତିକା ‘ପରୀକ୍ଷା ଦର୍ପଣ’ ପ୍ରକାଶିତ ହେଉଛି ।
ଆହୁରୀ ମଧ୍ୟ କହିଛନ୍ତି, ଏହି ଉଦ୍ୟମ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଭିନବ ପ୍ରୟାସ ପାଇଁ ମୁଁ ସାଧୁବାଦ ଜଣାଉଛି ଏବଂ ଆଶା କରୁଛି ଯେ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ପ୍ରସ୍ତୁତି ଜନିତ ସମସ୍ୟାକୁ ଲାଘବ କରିବାରେ ଏହି ପୁସ୍ତିକା ସଫଳ ହେବ ।୨୦୨୧ ମାଧ୍ୟମିକ ଶିକ୍ଷାବୋର୍ଡ଼ ପରୀକ୍ଷା ଦେବାକୁ ଯାଉଥିବା ସବୁ ଛାତ୍ରଛାତ୍ରୀଙ୍କୁ ମୋର ଶୁଭକାମନା ଜଣାଉଛି ଏବଂ ସମସ୍ତଙ୍କର ଉଜ୍ଜଳ ଭବିଷ୍ୟତ କାମନା କରୁଛି ।