ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ନୂତନ କୃଷି ଆଇନ୍କୁ ନେଇ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିଥିବା ସମୟରେ ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ରାଲି କରିବା ପାଇଁ ଦିଲ୍ଲୀ ପୋଲିସଙ୍କ ଠାରୁ ଅନୁମତି ନେଇଥିଲେ କୃଷକ ସଂଗଠନ ।ତେବେ କୃଷକଙ୍କ ଟ୍ରାକ୍ଟର ରାଲି ହିଂସାକାଣ୍ଡର ରୂପ ନେବାକୁ ବେଶୀ ସମୟ ଲାଗିନଥିଲା । ରାଲି ସମୟରେ କୃଷକ ଓ ଦିଲ୍ଲୀ ପୋଲସ ମଧ୍ୟରେ ସଂଘର୍ଷ ଦେଖାଯାଇଥିଲା । ତେବେ ଏହି ହିଂସାକାଣ୍ଡକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିବା ବେଳେ ଏହି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛି ଓଡିଶା ଶାସକ ଦଳ ବିଜେଡି । ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଗତକାଲି ଯାହା ଘଟିଲା ତାହା ଦୁର୍ଭାଗ୍ୟଜନକ । କୌଣସି ପରିସ୍ଥିତିରେ ହିଂସାକୁ ପ୍ରଶୟ ଦିଆଯିବନି । ସ୍ୱାମୀନାଥନ କମିଟି ସୁପାରିଶ ଅନୁଯାୟୀ ଚାଷୀଙ୍କ ଆୟ ଦୁଇଗୁଣ ହେଉ । ଏନେଇ ବିଜେଡି ଆଗରୁ ମଧ୍ୟ କହିଆସିଛି ।
ଏହି ଘଟଣାରେ ଦିଲ୍ଲୀ ପୋଲିସ ପାଖାପାଖି ୨୦୦ ଆନ୍ଦୋଳନକାରୀକୁ ଗିରଫ କରିଥିବା ସୂଚନା ମିଳିଛି ।ତେବେ ସେହି ଆନ୍ଦୋଳନକାରୀଙ୍କ ଉପରେ ହିଂସାକାଣ୍ଡ, ସର୍ବସାଧାରଣ ସଂପତ୍ତି ନଷ୍ଟ କରିବା, ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ଆଦି ଦୋଷରେ ତାଙ୍କୁ ଗିରଫ କରାଯାଇଛି ।ସୂଚନା ଅନୁସାରେ ଏଯାଏଁ ପ୍ରାୟ ୨୨ଟି ମାମଲା ରୁଜୁ କରାଯାଇଛି । ହିଂସାକାରୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଉପରେ ଆକ୍ସନ ନିଆଯାଉଛି । ଏହି ହିଂସାକାଣ୍ଡରେ ପ୍ରାୟ ୩୦୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।