ସନ୍ଷ୍ଟାର ଟିଭି ବ୍ୟୁରୋ
ଦେଶର ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ସାରା ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ମହାନ ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏବଂ ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ନବୀନ କହିଛନ୍ତି ଯେ, ବିବିଧତା ହିଁ ଆମର ସବୁଠାରୁ ବଡ଼ ଶକ୍ତି । ଏହାସହ ବିବିଧତା ଆମ ସମାଜ ଓ ସଂସ୍କୃତିକୁ ସମୃଦ୍ଧ କରିଛି । ଜାତୀୟ ପ୍ରସଙ୍ଗରେ ସହମତି ପାଇଁ ସମସ୍ତେ କାମ କରିବା ଦରକାର । ଯାହା ଆମର ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ କରିବାରେ ସହାୟକ ହେବ ବୋଲି ନବୀନ କହିଛନ୍ତି ।
ସେ ଆଉ ମଧ୍ୟ କହିଛନ୍ତି, ଆଜି ଦେଶର ବିକାଶ ମାନଚିତ୍ରରେ ଓଡ଼ିଶାର ସ୍ଥିତି ମଜଭୁତ ଅଛି । ଏହାସହ କୃଷି, ଶିଳ୍ପ ପରି ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରରେ ଅଗ୍ରଗତି କରିଛି । ବିଭିନ୍ନ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ସବୁବେଳେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏନ୍ୟପଟେ, କରୋନା ମହାମାରୀକୁ ସଫଳତାର ସହ ଓଡ଼ିଶା ସାମ୍ନା କରିଛି । ଏବଂ ଆମର କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ ଓ ସେବାକୁ ଓଡ଼ିଶା ସ୍ମରଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପରିଶେଷରେ ସେ କହିଛନ୍ତି ଏବେ ଆମେ ସମୃଦ୍ଧ, ସଶକ୍ତ ଓ ସ୍ଵାଭିମାନ ଓଡ଼ିଶା ନିର୍ମାଣ କରିବା ପାଇଁ ଆଗକୁ ବଢୁଛୁ । ଏବଂ ନୂଆ ଓଡ଼ିଶା ଗଠନରେ ସମସ୍ତଙ୍କର ଆଶୀର୍ବାଦ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।