ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଉଦ୍ଘାଟିତ ହୋଇଛି ‘ରାଜ୍ୟ ଏକ୍ସପୋର୍ଟ ଆଓ୍ଵାର୍ଡ ଉତ୍ସବ’ । ଏହି ଉତ୍ସବକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ସମାରୋହରେ ମୁଖ୍ୟମନ୍ତ୍ରୀ କରୋନା ମହାମାରୀ ସମୟରେ ଓଡିଶା ରପ୍ତାନୀ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି କଥା କହିଛନ୍ତି । ଚଳିତ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ରାଜ୍ୟ ନିଜର ରପ୍ତାନିରେ ୫୫ ପ୍ରତିଶତ ବୃଦ୍ଧି କରିପାରିଛି । ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ଓଡ଼ିଶାର ରପ୍ତାନିକାରୀଙ୍କ ପାଇଁ ଏହା ଏକ ଚମତ୍କାର ସଫଳତା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ସେ ଆଉ ମଧ୍ୟ କହିଛନ୍ତି ଯେ, ରପ୍ତାନି ବୃଦ୍ଧି ପାଇଁ ରାଜ୍ୟ ସରକାର ବ୍ୟବସାୟ ବାତାବରଣକୁ ଆହୁରି ଅନୁକୂଳ କରିବାକୁ ପଦକ୍ଷେପ ନେଉଛନ୍ତି । ନିତି ଆୟୋଗ ଦ୍ବାରା ପ୍ରକାଶିତ ରପ୍ତାନି ପ୍ରସ୍ତୁତି ସୂଚକାଙ୍କରେ ଓଡ଼ିଶା ଦେଶରେ ପ୍ରମୁଖ ୫ଟି ରାଜ୍ୟ ମଧ୍ୟରେ ରହିଛି । ସହଜ ବାଣିଜ୍ୟ ବ୍ୟବସାୟର ବାଟ ଖୋଲିଛି ମୋ ସରକାର ।୫ ଟି ପ୍ରକ୍ରିୟାର ଭିତ୍ତିଭୂମି ଯୋଗାଇ ଦିଆଯାଉଛି ।
ସ୍ଥାନୀୟ ଉତ୍ପାଦଗୁଡ଼ିକର ରପ୍ତାନିକୁ ପ୍ରେତ୍ସାହିତ କରିବାକୁ ଜିଲ୍ଲା ସ୍ତରରେ ରପ୍ତାନି ପ୍ରେତ୍ସାହନ କମିଟି ଗଠନ କରାଯାଇଛି । ଏଣୁ ସେ ଦିନ ଆଉ ଦୂର ନୁହେଁ, ଯେତେବେଳେ ଆମ ମାଲକାନିଗିରି,କଳାହାଣ୍ଡି ବା କନ୍ଧମାଳର ସାମଗ୍ରୀ ଆମେରିକା ଓ ୟୁରୋପ ବଜାରରେ ମିଳିବ ।
ବୃହତ ଶିଳ୍ପ ବର୍ଗରେ ବେଦାନ୍ତ ଝାରସୁଗୁଡ଼ା (ଖଣିଜ ଶିଳ୍ପ), ନାଲକୋ (ଧାତୁ), ଟିସିଏସ (ଇଲେକ୍ଟ୍ରୋନିକ୍ସ ଓ ଆଇଟି), ସାମୁଦ୍ରିକ ଉତ୍ପାଦ ବର୍ଗରେ ଫାଲକନ, ଇନଫୋସିସ(ଇଲେକ୍ଟ୍ରୋନିକ୍ସ ଓ ଆଇଟି) ଆଦି କମ୍ପାନିଗୁଡିକ ରପ୍ତାନି କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବାରୁ ସେମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ।