ସନ୍ଷ୍ଟାର ଟିଭି ବ୍ୟୁରୋ
ପାଟନା: ଏଣିକି ସୋସିଆଲ ମିଡିଆର ଅପବ୍ୟବହାର କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ସୋସିଆଲ ମିଡିଆ ଯଥା ଫେସବୁକ, ଟ୍ୱିଟର, ହ୍ବାଟସ୍ ଆପ୍ ଏବଂ ଟେଲିଗ୍ରାମ ଆଦିରେ ସରକାରୀ ମନ୍ତ୍ରୀ, ସାଂସଦ, ବିଧାୟକ କିମ୍ବା ସରକାରୀ କର୍ମଚାରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ବିହାର ସରକାର କଡ଼ା ଚେତାବନୀ ଦେଇଛନ୍ତି। ଏଥିସହ ମିଥ୍ୟା ଏବଂ ଗୁଜବ ଖବର ପୋଷ୍ଟ କରୁଥିବା ଲୋକ, ବିଭିନ୍ନ ଗୋଷ୍ଠୀ ତଥା ଅନୁଷ୍ଠାନ ମାନଙ୍କ ବିରୋଦ୍ଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଯେଉଁମାନେ ସରକାରୀ ମନ୍ତ୍ରୀ, ସାଂସଦ, ବିଧାୟକ କିମ୍ବା ସରକାରୀ କର୍ମଚାରୀଙ୍କ ଭାବମୂର୍ତ୍ତିକୁ ମଳିନ କରିବା ପାଇଁ ପୋଷ୍ଟ ଲେଖୁଛନ୍ତି ସେମାନଙ୍କ ଉପରେ ଆଇଟି ଆକ୍ଟ ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହେବ। ଆର୍ଥିକ ଅଫେନ୍ସ ୟୁନିଟର ଏଡିଜି ନାୟାର ହସନେନ୍ ଖାନ୍ ଏହି ବିଷୟରେ ସମସ୍ତ ବିଭାଗର ମୁଖ୍ୟ ସଚିବ ଏବଂ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି।
ଚିଠିରେ ଏହା କୁହାଯାଇଛି ଯେ, ଯଦି କୌଣସି ବିଭାଗରେ ଏଭଳି ମାମଲା ଆସେ, ତେବେ ଏହା ଆର୍ଥିକ ଅଫେନ୍ସ ୟୁନିଟକୁ ବିସ୍ତୃତ ସୂଚନା ଦେଲେ ଦୋଷୀ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାଇବର ଅପରାଧ ପାଇଁ ନୋଡାଲ୍ ଏଜେନ୍ସି ରଖାଯାଇଛି। ସୋସିଆଲ ମିଡିଆରେ ଅଶ୍ଳୀଳତା, ସାଇବର ନିର୍ଯ୍ୟାତନା ଭଳି ମାମଲା ଏହି ଆଇନ ଅଧୀନରେ ଆସୁଛି।