ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କରୋନା ପାଇଁ ବଦଳିଲା ମାଟ୍ରିକ ପରୀକ୍ଷା ନିୟମ । ଚଳିତ ବର୍ଷ ନିଜ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟା ଅବଧିର ପରୀକ୍ଷା ହେବ । ତେବେ ଅନ୍ୟ ସ୍କୁଲର ଶିକ୍ଷକ ପରୀକ୍ଷା ନିରୀକ୍ଷକ ଦାୟିତ୍ୱରେ ରହିବେ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ପରୀକ୍ଷାର କାର୍ଯ୍ୟସୂଚୀ ସମୟ ଓ ସ୍ଥାନ ପରିବର୍ତ୍ତନ କରାଯାଇଛି। କରୋନା ଯୋଗୁଁ ରହିବା ଓ ଯାତାୟତରେ ଅଭିଭାବକ, ଛାତ୍ରଛାତ୍ରୀ ଅସୁବିଧା ଭୋଗିବାର ଆଶଙ୍କା ଥିବାରୁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇ ନଥିଲେ ମଧ୍ୟ ଖୁବ୍ଶୀଘ୍ର ଏନେଇ ସବିଶେଷ ତଥ୍ୟ ବିଦ୍ୟାର୍ଥୀଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି ।
ଅନ୍ୟପଟେ କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଫି’ ଛାଡ଼ କରାଯାଇଥିଲା । ଏହାପରେ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଏକ ବମ୍ଫର ଉପହାର ଦିଆଯାଇଥିଲା । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଟେଷ୍ଟପେପର ଦେବା ପାଇଁ ସରକାରଙ୍କ ଘୋଷଣା କରିଛନ୍ତି । ୬ ଲକ୍ଷ ୨୦ ହଜାର ୫୦୮ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟପେପର ପ୍ରଦାନ କରିବେ ସରକାର । ଏନେଇ ସୁଚନା ଦେଇଛନ୍ତି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।